ଭାରତ ଆସିଲା କି ଆଫ୍ରିକା ଭୂତାଣୁ? ବାଙ୍ଗାଲୋରରେ ୨ ଆଫ୍ରିକୀୟ କରୋନା ରୋଗୀ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ‘ଓମିକ୍ରନ’ ବାବଦରେ ଜାଣିବା ପାଇଁ ଅଧିକ ପରୀକ୍ଷାକୁ ଅପେକ୍ଷା ।

212

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୂଆ ପ୍ରଜାତି ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଉଦବେଗ ପ୍ରକାଶ ପାଇଛି । ଏହାରି ଭିତରେ ଦକ୍ଷିଣ ଆଫ୍ରିକାରୁ ବାଙ୍ଗାଲୋର ଆସିଥିବା ଦୁଇ ଆଫ୍ରିକୀୟ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । ବିମାନ ବନ୍ଦରରେ ଦୁଇ ଆଫ୍ରିକୀୟ କରୋନା ପଜିଟିଭ ଚିହ୍ନଟ ପରେ ଭାରତକୁ ଓମିକ୍ରନ ଭୂତାଣୁ ପଶି ଆସିଥିବା ଆଶଙ୍କା କରାଯାଉଛି ।

ତେବେ ତାଙ୍କ ଶରୀରରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଓମିକ୍ରନ କି ନୁହେଁ ତାହା ଜାଣିବା ପାଇଁ ନମୁନାକୁ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ତେବେ ପରୀକ୍ଷଣ ରିପୋର୍ଟ ଆସିବା ପରେ ଦୁଇ ଆକ୍ରାନ୍ତ ଓମିକ୍ରନ ଭୁତାଣୁରେ ସଂକ୍ରମିତ ହୋଇଛନ୍ତି ନା ନାହିଁ ଜଣା ପଡିବ ବୋଲି କୁହାଯାଉଛି ।

ବାଙ୍ଗାଲୋରରେ ଆଫ୍ରିକୀୟ ଯାତ୍ରୀ ସଂକ୍ରମିତ ଚିହ୍ନଟ ପରେ ମୁମ୍ବାଇ ବିମାନ ବନ୍ଦରରେ ଯାଞ୍ଚ କଡାକଡି କରାଯାଇଛି । ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କୁ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଥିବା ସୂଚନା ମିଳିଛି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଓମିକ୍ରନ ଭୂତାଣୁ ବାବଦରେ ସବିଶେଷ ତଥ୍ୟ ଏକ ସପ୍ତାହ ଭିତରେ ଆସିଯିବ । କୋଭିଡ ୧୯ର ବି ଡଟ୍ ୱାନ ଡଟ୍ ୱାନ ଫାଇବ୍ ଟ୍ୱେଂଟିନାଇନ ଷ୍ଟ୍ରେନକୁ ଓମିକ୍ରନ ଭାବେ ନାମିତ କରିଛି ଡବ୍ଲୁଏଚଓ । ଏହାକୁ ଭାରିଆଂଟ ଅଫ୍ କନସର୍ନ ଶ୍ରେଣୀରେ ଡବ୍ଲୁଏଚଓ ରଖିଥିବା ବେଳେ ସାରା ବିଶ୍ୱ କରୋନାର ଏହି ନୂଆ ରୂପକୁ ନେଇ ବିଶେଷ ସତର୍କତା ଅବଲମ୍ବନ କରିଛନ୍ତି ।

ବିଶ୍ୱସ୍ତରରେ ଆତଙ୍କ ଖେଳାଇଥିବା ଡେଲଟା ଭାରିଆଂଟ ସହ ଆଲଫା, ବିଟା ଗାମା ଷ୍ଟ୍ରେନ ମଧ୍ୟରୁ ଓମିକ୍ରାମ ସବୁଠାରୁ ଘାତକ ବୋଲି ବର୍ତମାନର ତଥ୍ୟ ଆଧାରରେ କୁହାଯାଉଛି । ଦକ୍ଷିଣ ଆଫ୍ରିକା ପରେ ଏବେ ୟୁରୋପରେ ଓମିକ୍ରାନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।