କନକ ବ୍ୟୁରୋ: ଜନଗହଳିପୂର୍ଣ୍ଣ ରାସ୍ତା ଆଉ ରାସ୍ତା କଡରେ ଅସହାୟ ମଣିଷ । ହାତର ୨ଟି ଆଙ୍ଗୁଳି କଟିଯାଇଛି, ଗୋଟିଏ ଆଖି ନଷ୍ଟ ହୋଇଯାଇଛି । ଯନ୍ତ୍ରଣା ଏତେ ହେଉଛି ଯେ ପାଟିରୁ କଥା ବାହାରୁନି କି ଉଠିବାକୁ ଜୁ ପାଉନି । କିଛି କରି ନପାରି କେବଳ ଗଛ ମୂଳେ ପଡି ରହି ନିସ୍ତେଜିଆ ଆଖିରେ ରାସ୍ତାକୁ ଚାହିଁ ରହିଛନ୍ତି ଏ ନିରାଶ୍ରୟ ଅସହାୟ ଜଣଙ୍କ । ଆଉ ଠିକ ଏତିକି ବେଳେ ଯନ୍ତ୍ରଣାରେ ଜଡସଜ ବେସାହାରା ବ୍ୟକ୍ତିଙ୍କୁ ସାହା ହେବାକୁ ଦେବଦୂତ ଭଳି ପହଞ୍ଚିଥିଲେ ଦୁଇ ଯୁବକ ଅଭିଜିତ ଦାସ ଓ ନିର୍ମଳ ପ୍ରଧାନ ।
ଏ ଚିତ୍ର କଟକ ଜଗତପୁର ସ୍ଥିତ ଆଇବି ରୋଡର । କିଛି ଦିନ ତଳେ ରାସ୍ତା କଡରେ ଶୋଇଥିବା ବେଳେ ଏ ଅଜଣା ବ୍ୟକ୍ତିଙ୍କ ବାମ ହାତରେ ଗାଡି ଚଢିଯାଇଥିଲା । ଦୁର୍ଘଟଣାରେ ତାଙ୍କ ବାମ ହାତର ୨ଟି ଆଙ୍ଗୁଠି କଟିଯାଇ ଘା ହେବା ସହ ଗୋଟିଏ ଆଖି ମଧ୍ୟ ନଷ୍ଟ ହୋଇଛି । ତେବେ କଷ୍ଟରେ ଆଉଟୁପାଉଟୁ ହେଉଥିବା ଏ ଅସହାୟ ବ୍ୟକ୍ତିଙ୍କୁ ସାହା ହୋଇଥିଲେ ୨ ଯୁବକ । ମାଛି ଭଣଭଣ ହେଉଥିବା ତାଙ୍କ ଘା’ ଘଉଡ ହାତକୁ ନିଜ ହାତରେ ସଫା କରିଥିଲେ । ଛିଣ୍ଡି ଯାଇଥିବା ମଇଳା ଲୁଗା କାଢି ନୂଆ ଲୁଗା ପିନ୍ଧାଇଲେ । ଆଉ ଭୋକିଲା ଥିବା ଅସହାୟ ବ୍ୟକ୍ତି ପେଟରେ ଦାନାପାଣି ଦେଇ, ଆମ୍ବୁଲାନ୍ସ ଡକାଇ ତାଙ୍କୁ ମେଡିକାଲ ପଠାଇଥିଲେ ।
ତେବେ କଟକ ଭଳି ଏକ ଜନଗହଳିପୂର୍ଣ୍ଣ ସହରରେ ଅସହାୟଙ୍କୁ ସାହାଯ୍ୟ କରି ନିଜ ମାନବିକତାର ପରିଚୟ ଦେଇଛନ୍ତି ଦୁଇ ଯୁବକ । ଦୀର୍ଘ ୬ ବର୍ଷ ହେବ ଏମିତି ଅସହାୟଙ୍କୁ ସାହାଯ୍ୟ କରି, ସେମାନଙ୍କ ସେବା କରି ଶାନ୍ତି ପାଆନ୍ତି ବୋଲି ଦୁହେଁ କହିଛନ୍ତି । ତେଣୁ ତ ଅଭିଜିତଙ୍କୁ ଅସହାୟଙ୍କ ଆଶାବାଡି ଆଉ ନିର୍ମଳଙ୍କୁ ନିରାଶ୍ରୟଙ୍କ ନିଜର ମଣିଷ ବୋଲି ଲୋକେ କହୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/zcxvxc.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-04-at-8.16.53-PM-300x243.png)
/kanak/media/post_attachments/wp-content/uploads/2019/11/Screen-Shot-2019-11-04-at-8.16.43-PM-300x245.png)