ରାଜନୀତି ଆଗରେ ସମ୍ପର୍କ ମାନିଲା ହାର । ପଞ୍ଚାୟତ ଇଲେକ୍ସନରେ ପରସ୍ପର ବିରୋଧରେ ଲଢିବେ ଦୁଇ ଭଉଣୀ ଓ ଦୁଇ ଯାଆ ।

268

କନକ ବ୍ୟୁରୋ: ପରିବାରକୁ ଭାଗ ଭାଗ କରିଦେଲା ପଞ୍ଚାୟତ ରାଜନୀତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । କେଉଁଠି ଦୁଇ ଭଉଣୀ ତ ପୁଣି କେଉଁଠି ଦୁଇ ଯା’ ମୁହାଁମୁହିଁ ହୋଇଛନ୍ତି । ତେବେ ଭଦ୍ରକ ୧୧ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ଦୁଇ ଯାଆ । ସେହିପରି ନବରଙ୍ଗପୁର ପାପଡାହାଣ୍ଡି ଜୋନ-୨ ର ଜିଲ୍ଲା ପରିଷଦ ଆସନ ପାଇଁ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମଧ୍ୟରେ ଲଢେଇ ହେବ ।

ପଞ୍ଚାୟତ ନିର୍ବାଚନ: ଯାଆ’ ବନାମ ଯାଆ’

ପଞ୍ଚାୟତ ନିର୍ବାଚନ ସମୟରେ ଏମିତି ଏକ ରୋଚକ ଖବର ଆସିଛି ଭଦ୍ରକ ଜିଲ୍ଲାରୁ  । ଭଦ୍ରକ ୧୧ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ଦୁଇ ଯାଆ । ବିଜେଡି ପ୍ରାର୍ଥୀ ଭାବେ ଉର୍ମିଳା ବିଶ୍ୱାଳ ନାମାଙ୍କନ କରିଥିବାବେଳେ ପୁଷ୍ପାଞ୍ଜଳି ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି ଦୁହେଁ ଏକାଠି ଗୋଟିଏ ପରିବାରର ରହୁଛନ୍ତିି । ଘରେ ସେମାନଙ୍କ ସମ୍ପର୍କ ଠିକଠାକ୍ ଅଛି କିନ୍ତୁ ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଦୁଇ ଯାଆଙ୍କ ନିର୍ବାଚନୀ ଲଢ଼େଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ନିର୍ବାଚନ ମଇଦାନରେ ଭଉଣୀ ବନାମ ଭଉଣୀ   

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀର ପାପଡାହାଣ୍ଡି ଜୋନ-୨ର ଜିଲ୍ଲା ପରିଷଦ ଆସନ ପାଇଁ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମଧ୍ୟରେ ଲଢେଇ ହେବ । ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଡାକ୍ତର ଲିପିକା ମାଝୀଙ୍କୁ କଂଗ୍ରେସ ପାପଡାହାଣ୍ଡି ଜୋନ-୨ର ଜିଲ୍ଲା ପରିଷଦ ସଭ୍ୟା ଭାବେ ପ୍ରାର୍ଥୀ କରିଥିବାବେଳେ, ତାଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ବଡ ମାଆଙ୍କ ଝିଅ ଭାନୁମତି ପୂଜାରୀ । ଦୁଇ ଭଉଣୀଙ୍କ ଲଢେଇକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ତେବେ ଏହା ଭଉଣୀଙ୍କ ଲଢେଇ ନୁହେଁ , ଦୁଇ ବିଚାରଧାରାର ଲଢେଇ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ମନୋହର ରନ୍ଧାରୀ ।

ତେବେ ନିର୍ବାଚନ ତ କିଛି ଦିନ ପରେ ସରିଯିବ । ଜଣେ ଜିତିବ, ଜଣେ ହାରିବ କିନ୍ତୁ ନିର୍ବାଚନ ସମୟରେ ଏହି ସମ୍ପର୍କୀୟଙ୍କ ଲଢ଼େଇ କେମିତି ହେବ, ସେମାନେ ପରସ୍ପର ପରସ୍ପର ବିରୋଧରେ କେମିିତି ଆଭିମୁଖ୍ୟ ରଖୁଛନ୍ତି , ତାହା ଦେଖିବାର କଥା ।