ଏକାଠି ଶୋଇଥିଲେ, ଏକାଠି ଶ୍ମଶାନ ଗଲେ: ମାଆ କୋଳରୁ ଦୁଇ ଝିଅଙ୍କୁ ଛଡାଇନେଲା କାଳସର୍ପ

14,631

କନକ ବ୍ୟୁରୋ: କାଲି ଏଇଠି ଦିହେଁ ଶୋଇଥିଲେ । ଗୋଟିଏ ଖଟରେ ଶୋଇ ଗୋଟିଏ ଚାଦରକୁ ଟଣାଭିଡା ହେଉଥିଲେ । ମୁଁ ଏପଟେ ଶୋଇବିନି, ସେପଟେ ଶୋଇବି… ମୋତେ ସେଇ ତକିଆଟା ଦେ, ମୋ ସୁନା ଭଉଣୀଟା ପରା… ଦେଇ ଦେ…ଏମିତି କିଛି ମିଠା ମୁହୂର୍ତ୍ତ କାଟି ଗୋଟିଏ ଖଟରେ ଜାକିଜୁକି ଶୋଇଯାଇଥିଲେ ଦୁଇ ଭଉଣୀ ରୋଜାଲିନ ଆଉ ସୁଜାତା । ହେଲେ ରାତି ପାହିବା ପରେ ଭାଗ ଭାଗ ହୋଇଥିଲା ସେମାନଙ୍କ ବିଛଣା । କୋକେଇରେ ବଦଳିଥିଲା ଶୋଇଥିବା କାଠ ଖଟ । ଆଉ ଶେଯରୁ ଶ୍ମଶାନ ଯିବା ପାଇଁ ଦାଣ୍ଡରେ ସଜଡା ସରିଥିଲା ଦୁଇ ଦୁଇଟି କୋକେଇ…

ସାପ କାମୁଡାରେ ଦୁଇ ଝିଅ ଆଖି ବୁଜିବା ପରେ ମାଟିରେ ମୁଣ୍ଡ ପିଟି କାନ୍ଦୁଛି ମାଆ । ଝିଅକୁ ହରାଇ ବାକଶୂନ୍ୟ ହୋଇଛନ୍ତି ବାପା । ଆଉ ଦୁଇ କଅଁଳ କଢିକୁ ହରାଇ ଲୁହ କୋହରେ ଫାଟି ପଡୁଛି ଅନୁଗୁଳ ବେନ୍ତପୁର ଗାଁ ।

ଗତକାଲି ରାତିରେ ଦୁଇ ଭଉଣୀଙ୍କୁ ସାପ କାମୁଡିବା ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା ମାତ୍ର ସେଠୁ କଟକ ସ୍ଥାନାନ୍ତର ବେଳେ ଆଜି ସକାଳୁ ମାଆ କୋଳରେ ସେମାନଙ୍କ ଜୀବନ ଯାଇଥିଲା । ତେବେ ପାଠ ପଢି ବଡ ମଣିଷ ହେବାର ସ୍ୱପ୍ନ ଦେଖିଥିବା ଦୁଇ ଭଉଣୀଙ୍କ ସ୍ୱପ୍ନ ଅଧାରେ ରହିଯିବା ପରେ ଏବେ ତାଙ୍କ ପଢାବହିକୁ ଧରି ଝୁରି ହେଉଛି ମାଆ । ନିଜ ଘରର ଦୁଇ କୁନି କୁସୁମଙ୍କୁ ହରାଇବା ପରେ ଏବେ ପଢାବହି ‘ସାହିତ୍ୟ କୁସୁମ’କୁ ଶ୍ମଶାନକୁ ଦେଇ ଦେଇଛି ମାଆ ।

ହୁଏତ ଦୁର୍ଗାପୂଜାରେ ଦୁଇ ଭଉଣୀ ନୂଆ ଜାମା ପାଇଁ ବାପାଙ୍କ ପାଖରେ ଅଳି କରିଥାନ୍ତେ, ଅଝଟ ହୋଇଥାନ୍ତେ । ହେଲେ ସେ ଅଳି ପୂର୍ବରୁ ଦୁହେଁ ଆର ପାରିକୁ ଚାଲିଗଲା । ଆଉ ସେମାନଙ୍କ ସହ ଶ୍ମଶାନକୁ ଚାଲିଗଲା ପୁରୁଣା ଦିନର ସାଇତା ସ୍ମୃତି ଆଉ ଅଭୁଲା ଅଝଟ ।