କରୋନ କାଳରେ ଆସିଲା ଦୁଇଟି ଭଲ ଖବର । ୩୦ ଦିନ ଆଇସିୟୁରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଲେ ରାୟଗଡ଼ାର ୨୦ ବର୍ଷୀୟ ପ୍ରତୀକ୍ଷ । ସେପଟେ ଭୁବନେଶ୍ୱରରେ ଫୁସଫୁସ ଶତ ପ୍ରତିଶତ ସଂକ୍ରମଣ ହୋଇଥିବା ରୋଗୀ ହେଲେ ସୁସ୍ଥ ।

675

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ଭୟଙ୍କର ଥିଲେ ମଧ୍ୟ ତାକୁ ପରାସ୍ତ କରିବା ସମ୍ଭବ । ଯାହା କରି ଦେଖାଇଛନ୍ତି ରାୟଗଡା ଜିଲ୍ଲା ମୁନିଗୁଡାର ୨୦ ବର୍ଷୀୟ ଯୁବକ ପ୍ରତୀକ୍ଷ କାଦାମ୍ବାଲୁ । ଆଉ ମାସେ କାଳ ଡାକ୍ତରଖାନାରେ ମହାମାରୀ ସହ ଲଢ଼େଇ କରି ବିଜୟୀ ହୋଇଛନ୍ତି ପ୍ରତୀକ୍ଷ ।

ଯେତେବେଳେ ପୁଅ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥାଏ ସେତେବେଳେ ଡାକ୍ତରଙ୍କ ଚିକିତ୍ସା ବ୍ୟବସ୍ଥା ଓ ଭଗବାନକୁ ଭରସା କରିବା ଛଡା ଆଉ କିଛି ବିକଳ୍ପ ନଥାଏ । ଭିଡିଓ କଲ କରି ପୁଅକୁ ଦେଖି ନିଜକୁ ଶାନ୍ତ୍ୱନା ଦେଉଥାଏ ଜଣେ ମାଆ । ଆଉ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଥାଏ, ତା’ପୁଅକୁ ସୁସ୍ଥ ହୋଇ ତା’ କୋଳକୁ ଫେରି ଆସୁ । ରାୟଗଡା ମୁନିଗୁଡାର ପ୍ରତୀକ୍ଷ କାଦାମ୍ବାଲୁଙ୍କ କ୍ଷେତ୍ରରେ ସେଇଆ ହିଁ ଘଟିଥିଲା ।

ଏପ୍ରିଲ ୨୫ରେ ପ୍ରତୀକ୍ଷ, କରୋନା ଆକ୍ରାନ୍ତ ହୋଇ ରାୟଗଡା ଜେଜେ ହସ୍ପିଟାଲରେ ଭର୍ତି ହୋଇଥିଲେ । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଭୁବନେଶ୍ୱର ସମ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆଇସିୟୁରୁ ଭେଂଟିଲେଟର ଓ ଶେଷରେ ତାଙ୍କ ଶରୀରରେ ଟ୍ରାକିଓଷ୍ଟ୍ରମି କରାଯାଇଥିଲା । ଶେଷର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ସାଙ୍ଗକୁ ପ୍ରତୀକ୍ଷଙ୍କ ଆତ୍ମବଳ ଆଗରେ ଭୂତାଣୁ ହାର ମାନିଛି, ମାସେ କାଳ ଯୁଦ୍ଧ କରି କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି ପ୍ରତୀକ୍ଷ ।

କରୋନାର ଏହି ଭୟଙ୍କର ସମୟରେ ଆଉ ଏକ ଭଲ ଖବର ଆସିଛି । ଆଉ ଜଣେ କରୋନା ରୋଗୀଙ୍କ ଫୁସଫୁସ ୨୫ରୁ ୨୫ ପ୍ରତିଶତ ସଂକ୍ରମିତ ହୋଇଥିଲେ ବି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲର ୨୮ ଦିନର ଚିକିତ୍ସା ପରେ ରୋଗୀ ସୁସ୍ଥ ହୋଇ ଫେରିଥିବାରୁ ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି ଡାକ୍ତର ସମ୍ପତ ଦାସ ।