କନକ ବ୍ୟୁରୋ : ହାତରେ ନଥିଲା ଲାଠି, କି ହାତରେ ନଥିଲା ହୁଇସିଲ । ବାସ୍ ହାତରେ ଥିଲା ଝାଡୁ ଏବଂ ଟିଣ ପ୍ଲେଟ ଓ ଖରାରୁ ଟିକେ ବର୍ତ୍ତିବା ପାଇଁ କାନ୍ଧରେ ପଡିଥିଲା ଗାମୁଛା । ଧୁ ଧୁ ଖରାରେ ଦେହ ପୋଡି ଯାଉଥିଲା, ଆଉ ଏଭଳି ଖରାରେ ଫାଙ୍କା ରାସ୍ତାରେ କ୍ଷଣିକ ଛିଡା ହେବା ମଧ୍ୟ କଷ୍ଟକର ।  କିନ୍ତୁ ଏଭଳି ଉଦୁଉଦିଆ ଖରାରେ ପାଳି କରି ରାସ୍ତାରୁ ଗୋଡି, ବଜୁରି ଓ ବଡ ବଡ ପଥର ସଫା କରି ଚାଲିଥିଲେ ଦୁଇ ପୋଲିସ କର୍ମଚାରୀ । ଜଣେ ଡ୍ୟୁଟି କରୁଥିବା ବେଳେ ଅନ୍ୟ ଜଣେ ରାସ୍ତାରୁ ଗୋଡି ସଫା କରୁଥିଲେ, ଆଉ ଟିକିଏ ଫାଙ୍କା ମିଳିବା ମାତ୍ରେ ଉଭୟ ଏହାକୁ ରାସ୍ତା ଠାରୁ ଟିକେ ଦୂରରେ ଫିଙ୍ଗି ଆସୁଥିଲେ । କାରଣ ଉଭୟ ଜାଣିଥିଲେ ଯଦି ଏହି ଗୋଡି ଏଠାରେ ଏମିତି ପଡିରୁହେ, ତେବେ ବାଟରେ ଯାଉଥିବା ଗାଡି ଚାଳକଙ୍କ ଦୁର୍ଘଟଣା ସୁନିଶ୍ଚିତ । ଆଉ ଦୁର୍ଘଟଣାରେ ଯେପରି କାହାରି ଜୀବନ ନ ଯାଉ ସେଥିପାଇଁ ଟାଇଁ ଟାଇଁ ଖରାରେ ରାସ୍ତାରୁ ଗୋଡି ସଫା କରିବାରେ ଲାଗିଥିଲେ ଦୁଇ ପୋଲିସ କର୍ମଚାରୀ ।  ଏଭଳି ଏକ ଦୃଶ୍ୟ ରାଉରକେଲା ବେଦବ୍ୟାସ ଟିସିଆଇ ଛକରେ ଦେଖିବାକୁ ମିଳିଥିଲା ।

Advertisment

ମିଳିଥିବା ସୂଚନା ମୁତାବକ, ପ୍ରତିଦିନ ଭଳି ମଙ୍ଗଳବାର ମଧ୍ୟ ବେଦବ୍ୟାସ ଟିସିଆଇ ଛକରେ ଡ୍ୟୁଟି କରୁଥିଲେ ଟ୍ରାଫିକ କନେଷ୍ଟବଳ ଦୁର୍ଗା ଭୈସାଲ ଓ ତାଙ୍କର ସହଯୋଗୀ ଗୃହରକ୍ଷୀ ଅଭୟ ସାହୁ । କିନ୍ତୁ ବିଜୁ ଏକ୍ସପ୍ରେସୱେରେ ମେଟାଲ ପରିବହନ କରୁଥିବା ଟ୍ରକରୁ ମେଟାଲ ଓ ଚିପ୍ସ  ଖସି ରାସ୍ତାରେ ବିଛାଡି ହୋଇ ପଡି ରହିଥିଲା ।  ଯେଉଁଥିପାଇଁ ଗାଡି ଚାଳକଙ୍କ ଯାତାୟତରେ ସମସ୍ୟା ହୋଇଥିଲା । ଏପରିକି କିଛି ଗାଡି ଚାଳକ ମେଟାଲରେ ଖସିବା ସହ ତଳେ ପଡି ଯାଇଥିଲେ । ଏହା ଦେଖିବା କ୍ଷଣି ଯେପରି ଆଉ ଦୁର୍ଘଟଣା ନ ହୁଏ ସେଥିପାଇଁ ତୁରନ୍ତ ରାସ୍ତା ସଫା କରିବାକୁ ଆଗେଇ ଆସିଥିଲେ ଟ୍ରାଫିକ କନେଷ୍ଟବଳ ଦୁର୍ଗା ଭୈସାଲ । ପ୍ରଚଣ୍ଡ ତାତି ହେଉଥିଲେ ମଧ୍ୟ ଖରାକୁ ଖାତିର ନକରି ଗୃହରକ୍ଷୀ ଅଭୟ ସାହୁଙ୍କୁ ଡାକି ରାସ୍ତା ଉପରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ପଡିଥିବା ମେଟାଲ ଓ ଚିପ୍ସକୁ ହଟାଇଥିଲେ । ତେବେ ଏନେଇ ଦୁର୍ଗା ଭୈସାଲ କହିଛନ୍ତି, ସଙ୍ଗେ ସଙ୍ଗେ ମହାନଗର ନିଗମର ସଫେଇ କର୍ମଚାରୀଙ୍କୁ ଡାକି ରାସ୍ତା ସଫା କରିବା ସମ୍ଭବ ନଥିବାରୁ ଆମେ ଏହାକୁ କରିଦେଲୁ ।

୪୨ ଡିଗ୍ରୀର ମୁଣ୍ଡଫଟା ଖରାରେ ନିଜ କର୍ତ୍ତବ୍ୟ ଭିତରେ ରାସ୍ତାରୁ ମେଟାଲ ସଫା କରିବାକୁ ନେଇ ଉଭୟ ପୋଲିସ କର୍ମଚାରୀଙ୍କୁ ପ୍ରଂଶସା କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଦୋକାନୀ ମାନେ । ତେବେ ଟ୍ରାଫିକ ପୋଲିସକୁ ନେଇ ଲୋକଙ୍କ ମନରେ ଯେଉଁ ଧାରଣା ରହିଥିଲା ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ଏହି ଦୁଇ ପୋଲିସ କର୍ମଚାରୀ । ଅନେକ ସମୟରେ ଅଜାଣତରେ ବି ଲୋକଙ୍କ ଜୀବନ ବଞ୍ଚାଇବାରେ ଟ୍ରାଫିକ କର୍ମଚାରୀ ସହାୟକ ହୁଅନ୍ତି ତାହା ପ୍ରମାଣିତ କରିଛନ୍ତି ଏହି ଦୁଇ ପୋଲିସ କର୍ମଚାରୀ ।