ବାଇକ ଓ କାରକୁ ପିଟିଲା ତେଲ ଟ୍ୟାଙ୍କର : ଦୁର୍ଘଟଣାରେ ୨ ମୃତ, ୬ଆହତ ମେଡିକାଲରେ ଭର୍ତ୍ତି

308

କନକ ବ୍ୟୁରୋ : ଗଞ୍ଜାମ ଖଲ୍ଲିକୋଟର ବଡଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକ ଓ କାରକୁ ପିଟିଲା ତେଲ ଟ୍ୟାଙ୍କର । ଦୁର୍ଘଟଣାରେ ୨ମୃତ, ୬ଆହତ ମେଡିକାଲରେ ଭର୍ତ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି । ପଲାସାରୁ କୋଲକତା ଅଭିମୁଖେ ଆସୁଥିବା ଏକ କାଜୁ ତେଲ ବୋଝେଇ ଟ୍ୟାଙ୍କର ହଠାତ ବଡ଼ଘାଟି ଉପରେ ବ୍ରହ୍ମପୁରରୁ କେଶପୁର ଅଭିମୁଖେ ଆସୁଥିବା ଏକ ବାଇକକୁ ଶକ୍ତ ଧକ୍କା ଦେଇଥିଲା । ପରେ ଆଉ ଏକ କାରକୁ ଧକ୍କା ଦେଇ ଟ୍ୟାଙ୍କରଟି ଘାଟି ଉପରୁ ୪୦ ଫୁଟ ତଳକୁ ଖସି ପଡିଥିଲା । ଉକ୍ତ ଦୁର୍ଘଟଣାରେ ବାଇକ୍ ଚାଳକ ବିକ୍ରମପୁର ଗ୍ରାମର ରାମଚନ୍ଦ୍ର ପୃଷ୍ଟି ଓ ତାଙ୍କ ୯ ବର୍ଷ ଭଣଜା ଆଶୁତୋଷ ସୁବୁଦ୍ଧି ଆହତ ହୋଇଥିବା ବେଳେ ରାମଚନ୍ଦ୍ରଙ୍କ ଭଉଣୀ ବିଷ୍ଣୁ ପ୍ରିୟା ସୁବୁଦ୍ଧିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ସେହିପରି କାରରେ ଥିବା ବିକ୍ରମପୁର ଅଞ୍ଚଳର ଶଙ୍କର ପରିଡ଼ା ,ରାଜେନ୍ଦ୍ର ପ୍ରଧାନ, ଶୁଭ୍ରଜିତ ମହାନ୍ତି ସାମାନ୍ୟ ଆହତ ହୋଇ ଥିବା ବେଳେ ଟ୍ୟାଙ୍କର ଚାଳକ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାର ନରସିଂହ ରାଓଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ହେଲପର ଜୟରାମ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ତୁରନ୍ତ ହାଇୱେ ପେଟ୍ରୋଲିଂ ପୋଲିସ ଖଲ୍ଲିକୋଟ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ବାଇକ୍ ଚାଳକ ରାମଚନ୍ଦ୍ର ପୃଷ୍ଟି ଓ ତାଙ୍କ ଭଣଜା ଆଶୁତୋଷ ସୁବୁଦ୍ଧି ଓ ଟ୍ୟାଙ୍କର ହେଲପର ଜୟରାମଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଏବଂ କାର ରେ ଥିବା ଶଙ୍କର ପରିଡ଼ା, ରାଜେନ୍ଦ୍ର ପ୍ରଧାନ, ଶୁଭ୍ରଜିତ ମହାନ୍ତି ଖଲ୍ଲିକୋଟ ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟପଟେ ପୋଲିସ ଦୁର୍ଘଟଣା ସ୍ଥଳରେ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।