କନକ ବ୍ୟୁରୋ: ବୁଢ଼ା ହେଉଛି ଓଡ଼ିଶା । ୨୦୩୬ ବେଳକୁ ପ୍ରତି ୧୦ ଜଣରେ ୨ ଜଣ ବୟସ୍କ ବ୍ୟକ୍ତି ଥିବେ । ସିୱାଇଏସଡି ଓ ୟୁଏନ୍ଏଫ୍ପିଏର ମିଳିତ ଗବେଷଣାରୁ ଏପରି ତଥ୍ୟ ମିଳିଛି । ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଜନ୍ମହାର ହ୍ରାସ ପାଉଛି ଏବଂ ହାରାହାରି ଆୟୁ ମଧ୍ୟ ବୃଦ୍ଧି ପାଉଛି । ଫଳରେ ୨୦୩୬ବେଳକୁ ଓଡ଼ିଶାରେ ପ୍ରାୟ ୮୦ଲକ୍ଷ ବୟସ୍କ ବ୍ୟକ୍ତି ରହିଥିବେ ବୋଲି ଆକଳନ କରାଯାଇଛି ।

Advertisment

ସିୱାଇଏସଡି ଓ ୟୁଏନଏଫପିଏର ମିଳିତ ଗବେଷଣାରୁ ମିଳିଥିବା ଏହି ତଥ୍ୟ ଉପରେ ନଜର ପକାନ୍ତୁ । ୨୦୨୧ ମସିହାରେ ୬୦ ବର୍ଷରୁ ଅଧିକ ବୟସ୍କ ମୋଟ ଜନସଂଖ୍ୟାର ୧୧.୫ ପ୍ରତିଶତ ଥିବା ବେଳେ ୨୦୩୬ ବେଳକୁ ଏହା ୧୭ ପ୍ରତିଶତରେ ପହଁଚି ଯାଇଥିବ । ସେହିପରି ୨୫ରୁ ୫୯ ବର୍ଷ ବୟସର ବ୍ୟକ୍ତି ୨୦୨୧ରେ ୪୭.୩ ପ୍ରତିଶତ ରହିଥିବା ଏହା ୨୦୩୬କୁ ଏହା ବୃଦ୍ଧି ପାଇ ୫୦.୩ ପ୍ରତିଶତରେ ପହଁଚି ଯାଇଥିବ । ତେବେ ଏହି ସମୟ ମଧ୍ୟରେ ୧୫ରୁ ୨୪ ବର୍ଷ ମଧ୍ୟରେ ଥିବା ଯୁବଗୋଷ୍ଠୀ ୧୭.୬ ପ୍ରତିଶତରୁ ୧୩.୭ ପ୍ରତିଶତକୁ ହ୍ରାସ ପାଇଥିବ । ସେହିପରି ୧୪ ବର୍ଷ ମଧ୍ୟରେ ଥିବା ଶିଶୁ ଓ କିଶୋରଙ୍କ ହାର ହ୍ରାସ ପାଇବ ବୋଲି ଗବେଷଣାରୁ ଜଣାପଡିଛି ।

ପରିବର୍ତ୍ତନଶୀଳ ଜନସଂଖ୍ୟା
ମସିହା          ୬୦+          ୨୫-୫୯            ୧୫-୨୪        ୫-୧୪        ୦-୪
୨୦୨୧       ୧୧.୫%      ୪୭.୩%          ୧୭.୬% ୧     ୬.୧%        ୭.୬%
୨୦୩୧      ୧୫%           ୪୯.୯%           ୧୪.୮%       ୧୩.୮%     ୬.୫%
୨୦୩୬      ୧୭%           ୫୦.୩%           ୧୩.୭%       ୧୨.୯%     ୬.୦%

୨୦୧୧ରେ ରାଜ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୩୯ ଲକ୍ଷ ଥିଲା
୨୦୩୬ ବେଳକୁ ଏହା ବୃଦ୍ଧି ପାଇ ୮୦ ଲକ୍ଷରେ ପହଁଚିବ
ରାଜ୍ୟର ୨୭ ଜିଲ୍ଲାରେ କମୁଛି ପ୍ରଜନନ ହାର
ବୃଦ୍ଧି ପାଉଛି ହାରାହାରି ଆୟୁ

ଆଫ୍ରିକୀୟ ଦେଶକୁ ଛାଡ଼ି ଦେଲେ ସାରା ବିଶ୍ୱରେ ପ୍ରଜନନ ହାର କମିବାରେ ଲାଗିଛି । ଭାରତର ଅଧିକାଂଶ ରାଜ୍ୟରେ ମଧ୍ୟ ଜନ୍ମହାର କମୁଛି । ତେବେ ଜାତୀୟ ହାର ଠାରୁ ଓଡ଼ିଶା ପ୍ରଜନନ ହାର କମ୍ ରହିଛି । ସେହିପରି ଲୋକଙ୍କ ହାରହାରି ଆୟୁ ମଧ୍ୟ ବଢିବାରେ ଲାଗିଛି । ଫଳରେ ରାଜ୍ୟରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ୨୦୩୬ ବେଳକୁ ମହିଳାଙ୍କ ଜନସଂଖ୍ୟା, ପୁରୁଷଙ୍କୁ ଟପିଯିବ ବୋଲି ଗବେଷଣାରୁ ଜଣାପଡିଛି ।

ବୃଦ୍ଧ/ବୃଦ୍ଧା, ବିଧବାଙ୍କ ରୋଜଗାର ଦୃଷ୍ଟିରୁ ପଛରେ ପଡ଼ିଛି ଓଡ଼ିଶା
ବୟସ୍କଙ୍କୁ ହିତାଧିକାରୀ ନଭାବି ଅଭିଜ୍ଞତାକୁ କାମରେ ଲଗାଇବାକୁ ପରାମର୍ଶ

ପରିବର୍ତ୍ତନଶୀଳ ଜନସଂଖ୍ୟା ଓ ବିକାଶକୁ ନେଇ ସିୱାଇଏସଡି ପକ୍ଷରୁ ଆୟୋଜିତ ହୋଇଥିଲା ଓଡ଼ିଶା ବିକାଶ କନକ୍ଲେଭ୍ । ଦୁଇଦିନ ବ୍ୟାପୀ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବୟସ୍କଙ୍କ ସଂଖ୍ୟା, ସହରୀକରଣ, ସ୍ୱାସ୍ଥ୍ୟ, ପୁଷ୍ଟି, ଶିକ୍ଷା, ଡିଜିଟାଲ୍ ପ୍ରଯୁକ୍ତି ଓ ବିକାଶକୁ ନେଇ ଆଲୋଚନା ହୋଇଥିଲା ।