ଡରାଉ ଥାଏ ଖରା, ଡରନ୍ତିନି ଏମାନେ… ଝାଞ୍ଜି ପବନ, ଉତ୍ତପ୍ତ ଅପରାହ୍ନ, ଅସହ୍ୟ ତାତିକୁ ବେଖାତିର କରି ବାଟୋଇକୁ ପିଆନ୍ତି ପାଣି ।

162

କନକ ବ୍ୟୁରୋ: ଖଇଫୁଟା ଖରା, ତତଲା ରାସ୍ତା, ଝାଞ୍ଜି ପବନ । ସକାଳ ହେବା କ୍ଷଣି ସୂର୍ଯ୍ୟଙ୍କ ତାପରେ ତ୍ରାହି ତ୍ରାହି ଡାକୁଥିବା ଜନଜୀବନ ମଧ୍ୟାହ୍ନ ବେଳକୁ ଗ୍ରୀଷ୍ମର ଜ୍ୱାଳାରେ ଜଳିପୋଡି ଯାଉଛି । ଆଉ ଉତ୍ତପ୍ତ ଅପରାହ୍ନର ଆକାଶ ବି ଆଶ୍ୱସ୍ତିର ଶବ୍ଦକୁ ନିଜ ଆଁରେ ଭରି ଦେଇ ଅଗ୍ନିବର୍ଷାରେ ଲାଗିପଡିଛି । ଟାଇଁ ଟାଇଁ ଖରାରେ ସହର ଫୁଟେ, ଦେହ ସିଝେ, ତଣ୍ଟି ଶୁଖେ, ଜୀବନ ଜଳର ସନ୍ଧାନ କରେ । ପଥିକଟିଏ ଯେତେ ସନଗ୍ଲାସ, ଛତା ଓ ଗ୍ରୀଷ୍ମ ମୁକାବିଲାର ପନ୍ଥା ଆପଣାଇ ଥାଉନା କାହିଁକି । ନିର୍ଜନ ଜନପଥ, ନିଛାଟିଆ ରାସ୍ତାରେ ଯେବେ ଖରା ଲଗାଏ ଅଘୋଷିତ କର୍ଫ୍ୟୁ, ସେବେ ମଣିଷ ପ୍ରକୃତିର ଏ ତାଣ୍ଡବ ଆଗରେ ନିଜକୁ ଅସହାୟ କରିଦିଏ । ପାଣି ଟୋପେ ପାଇଁ ପାଗଳ ଭଳି ହୁଏ… ଆଉ ଏହି ସମୟରେ ଖରା ଛାଇର ଛକିଶୂନ ଖେଳକୁ ଖାତିର ନକରି ରାସ୍ତାର ଏକ ଛକ ଉପରେ ଶୋଷିଲାର ଶୋଷ ମେଣ୍ଟାଇବାକୁ ଜଗି ବସିଥାନ୍ତି ଜଣେ ଜଣେ ଜଳ ମଣିଷ । ଯିଏ ପାଣି ଟୋପେ ଦେଇ ପ୍ରାଣ ବଞ୍ଚାଇ ଦିଅନ୍ତି, ଦରମରା ଜୀବନରେ ସତେଜତା ଭରିଦିଅନ୍ତି ।

ଚମ ଧୁଡୁଧୁଡୁ, ପାକୁଆ ପାଟି, ଚମଡା ଉପରୁ ଦେହ ଭିତରର ହାଡ ଗଣି ହେଉଛି । ଯାହା ବାର୍ଦ୍ଧକ୍ୟତାର ପ୍ରମାଣପତ୍ର ଦେଉଛି । ଅସହ୍ୟ ତାତିରୁ ମୁକ୍ତି ପାଇଁ ଖଣ୍ଡେ ଧୋତି ଓ କମରରେ ଗାମୁଛାଟେ ବାନ୍ଧି ଜଣେ ପରେ ଜଣେ ଶୋଷିଲାଙ୍କ ହାତକୁ ବଢାଇ ଦେଉଛନ୍ତି ଦହି ପାଣି । ରାସ୍ତାରେ ସାଙ୍ଘାତିକ ଖରାର ୧୪୪ ଧାରା ଆଉ ରାସ୍ତା କଡରେ ଖରାର ଧମକକୁ ଖାତିର ନକରି ଏମିତି ପଥିକଙ୍କୁ ପାଣି ଓ ଦହି ପାଣି ପିଆଉଛନ୍ତି ଯାଜପୁର ଦଶରଥପୁର ଅଞ୍ଚଳର ଏ ମଉସା ଜଣକ ।

ଦର୍ଶକବନ୍ଧୁ ଇଏ ଆଉ ଏକ ଅବିବେକୀ ଖରାବେଳର ବିବେକଭରା ଚିତ୍ର । ଏଠି ବି ଗ୍ରୀଷ୍ମର କୋକୁଆ ଭୟ, ଖାଁଖାଁ ରାସ୍ତା, ଆତତାୟୀ ତାତିର ଆତଙ୍କରେ ଆତଙ୍କିତ ଜୀବନ । ହେଲେ ଏ ବୟସରେ ବି ମଉସା ଜଣଙ୍କ ମୁଣ୍ଡରେ ଗାମୁଛାଟେ ବାନ୍ଧି, ନିଜେ ସୁରକ୍ଷାର କବଚ ପିନ୍ଧି, ଶୁଖିଲା ତଣ୍ଟିରେ ପାଣି ମୁନ୍ଦେ ଦେବାକୁ ଏ ଧୁଧୁ ଖରାରେ ବସି ପାଣି ଦେଉଛନ୍ତି । ଆଉ କହୁଛନ୍ତି, ବାବା ଆସ ଟିକେ ପାଣି ପିଇଦେଇ ଯାଅ, ପ୍ରବଳ ଖରା ହେଉଛି ଟିକେ ବିଶ୍ରାମ ନେଇଯାଅ । ମଉସାଙ୍କ ରସ୍ନା ଗ୍ଲାସରେ ଗ୍ରୀଷ୍ମ ଯେମିତି ପରାସ୍ତ ହୁଏ, ତାଙ୍କ କଥାରେ କ୍ଲାନ୍ତ ଦେହଟା ଫୁର୍ତ୍ତି ହୋଇଯାଏ ।

ଗ୍ରୀଷ୍ମଋତୁରେ ସବୁଠି ଜଳଛତ୍ର ହୋଇଥାଏ । ହେଲେ ଏ ଦୁଇଟି ଜଳଛତ୍ରର ଚିତ୍ର ଟିକେ ଭିନ୍ନ । ଏଠି ଜଳ ଟୋପେ ପିଇ କେବଳ ତଣ୍ଟି ଓଦା ହୁଏନି ବରଂ ଜୀବନକୁ ଶକ୍ତି ମିଳେ । ଏମାନଙ୍କ ପରିଚୟ ଜଣା ନାହିଁ, ନାଁ ଓ ଠିକଣା ପଚାରିବାକୁ ଫୁରସତ ବି ମିଳିନି ଏ ଡହଡହ ଖରା ବେଳଟାରେ । ବାସ ଏତିକି କହିହେବ, ଏମାନେ ଜୀବନକୁ ଗ୍ରୀଷ୍ମଜ୍ୱାଳାରୁ ବଞ୍ଚାଉଥିବା ଜଣେ ଜଣେ ଜଳ ଯୋଦ୍ଧା । ଯିଏ ପାଣି ଟୋପେ ଦେଇ ନିଇତି ତିଆରୁଛନ୍ତି ନିଜ ପରିଚୟ । ଶୋଷିଲା ପଥିକଙ୍କ ଛାତିରେ ନିଇତି ଆଙ୍କନ୍ତି ଆଶ୍ୱସ୍ତିର ଛବି । ଦର୍ଶକବନ୍ଧୁ ! ଏ ଡହଡହ ଖରାରେ କେହି ନୁହନ୍ତି ନିଜର । ଆମେ ଫ୍ୟାନ, ଏସି ଭିତରେ ରହି ବି ଆମକୁ ଗରମ ହୁଏ ହେଲେ ଥରେ ଭାବିଲେ ଏତେ ଖରାରେ ବି ଏ ବୟସରେ ଏମାନେ ସେବା କରିବାକୁ ବାହାରିଆସିଛନ୍ତି । ସତରେ ମଉସା ଆପଣଙ୍କ ଏ ଉଦ୍ୟମ, ଏ ସାହସ ଓ ସେବା ମନୋବୃତ୍ତିକୁ ଶତ ଶତ ସଲାମ ।