କନକ ବ୍ୟୁରୋ : ଯୁକ୍ତ ଦୁଇରେ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ ପରୀକ୍ଷା । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀମାନେ ବିନା ଦେୟରେ ପରୀକ୍ଷା ଦେବେ । ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ସେପ୍ଟେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ପରୀକ୍ଷା କରାଯିବ । ତେବେ ପରୀକ୍ଷା ପାଇଁ ଚଳିତ ସପ୍ତାହଠାରୁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଆରମ୍ଭ ହେବ । ଏଥିପାଇଁ କଲେଜଗୁଡ଼ିକୁ ଏକ ଲିଙ୍କ୍‌ ପ୍ରଦାନ କରାଯିବ। ଯାହା ମାଧ୍ୟମରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପା‌ରିବେ ।

Advertisment

ପଞ୍ଜୀକରଣ ଶେଷ ହେବା ପରେ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ପରୀକ୍ଷା ସୂଚୀ ଓ କେନ୍ଦ୍ର ଧାର୍ଯ୍ୟ ହେବ । ସମସ୍ତ ବିଷୟର ପରୀକ୍ଷା ହେବନି। ଯୁକ୍ତ୨ରେ ମୋଟ ୧୩୨ଟି ବିଷୟ ଥିବାରୁ ସବୁ ବିଷୟରେ ପରୀକ୍ଷା କଲେ ଅଧିକ ସମୟ ଲାଗିବ । ତେଣୁ ଆବେଦନ ସଂଖ୍ୟକୁ ଦୃଷ୍ଟିରେ ରଖି କିଭଳି ଓ କେଉଁ ପ୍ରମୁଖ ବିଷୟରେ ପରୀକ୍ଷା କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି ଯେ ପଞ୍ଜୀକରଣ ଲାଗି ଖୁବ୍‌ଶୀଘ୍ର କଲେଜଗୁଡ଼ିକୁ ଲିଙ୍କ୍‌ ପଠାଯିବ। ଯେଉଁ ପରୀକ୍ଷାର୍ଥୀ ଅଫ୍‌ଲାଇନ୍‌ ପରୀକ୍ଷା ଦେବା‌ ଲାଗି ଇଚ୍ଛୁକ ଥିବେ ସେମାନେ ପଞ୍ଜୀକରଣ କରିପାରିବେ । ଏଥିପାଇଁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ । ପଞ୍ଜୀକରଣ ପାଇଁ ପରୀକ୍ଷାର୍ଥୀଙ୍କୁ ବହୁତ କମ୍‌ ସମୟ ଦିଆଯିବ ଏବଂ ସେମାନେ କଲେଜକୁ ଯାଇ ହିଁ ପଞ୍ଜୀକରଣ କରିବେ । ଥରେ ପଞ୍ଜୀକରଣ କରିବା ପରେ ପରୀକ୍ଷାର୍ଥୀଙ୍କୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମିଳିଥିବା ମାର୍କକୁ ଗଣନା କରାଯିବ ନାହିଁ । ଅଫ୍‌ଲାଇନ୍‌ ପରୀକ୍ଷାରେ ଯେଉଁ ମାର୍କ ରଖିବେ ତାହାକୁ ହିଁ ଚୂଡ଼ାନ୍ତ ମାର୍କ ଧରାଯିବ ।