‘ଫୋର୍ବସ୍‌ ଇଣ୍ଡିଆ’ ପ୍ରକାଶିତ ଭାରତର ୧୦୦ ‘ଗ୍ରେଟ୍‌ ପିପୁଲ୍‌ ମ୍ୟାନେଜର୍ସ’ ତାଲିକା, ସ୍ଥାନ ପାଇଲେ ଦୁଇ ଓଡିଆ

145

କନକ ବ୍ୟୁରୋ : ଫୋର୍ବସ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ । ଶହେ ଶ୍ରେଷ୍ଠ ପିପୁଲସ୍ ମ୍ୟାନେଜର ତାଲିକାରେ ସ୍ଥାନ ପାଇଛନ୍ତି ଗୋବିନ୍ଦ ପଟ୍ଟନାୟକ ଓ ଦିବ୍ୟଜ୍ୟୋତି ପଟ୍ଟନାୟକ । ‘ମାଇକ୍ରୋଫାଇନାନ୍‌ସ୍‌’, ‘ମାଇକ୍ରୋ-ଏଣ୍ଟର୍‌ପ୍ରାଇଜ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ ଏବଂ ‘ଡେଭ୍‌ଲପ୍‌ମେଣ୍ଟ୍‌ ସେକ୍ଟର୍‌ କନ୍‌ସଲ୍‌ଟିଙ୍ଗ୍‌’ରେ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କର ୧୬ ବର୍ଷରୁ ଅଧିକ ଅଭିଜ୍ଞତା ଅଛି । ସେ ହେଉଛନ୍ତି ‘ଅନ୍ନପୂର୍ଣ୍ଣା ଫାଇନାନ୍ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ର ନିର୍ଦେଶକ। ଆର୍ଥିକ ସହାୟତା ଦ୍ବାରା ଓଡ଼ିଶାରେ ଗରିବମାନଙ୍କର ସେବା ନିମନ୍ତେ ସେ ‘ଓଡ଼ିଶା ଆସୋସିଏସନ୍‌ ଅଫ୍‌ ଫାଇନାନ୍‌ସିଆଲ୍‌ ଇନ୍‌କ୍ଲୁସନ୍‌’ର ଅଧ୍ୟକ୍ଷ ଭାବେ କାର୍ଯ୍ୟକରୁଛନ୍ତି ।

ଏହା ବ୍ୟତିରେକେ, ସେ ‘ମାଇକ୍ରୋଫାଇନାନ୍‌ସ୍‌ ଇନ୍‌ଷ୍ଟିଚ୍ୟୁସନ୍‌ସ୍‌ ନେଟ୍‌ୱାର୍କ’ର ବୋର୍ଡ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ‘ଫାଇନାନ୍‌ସିଆଲ୍‌ ଇନ୍‌କ୍ଲସନ୍‌ ସେକ୍ଟର୍‌’ ପ୍ରତି ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ଦୁଇ ଦଶନ୍ଧିରୁ ଅଧିକ ଅଭିଜ୍ଞତା ଥିବା ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ ହେଉଛନ୍ତି ‘ମାଇକ୍ରୋଫାଇନାନ୍‌ସ୍‌’ କ୍ଷେତ୍ରର ‌ଜଣେ ଆଦ୍ୟ ପ୍ରବର୍ତ୍ତକ । ବିକାଶମୂଳକ କାର୍ଯ୍ୟକଳାପ ପ୍ରବର୍ତ୍ତନ ଏବଂ ମାଇକ୍ରୋଏଣ୍ଟର୍‌ପ୍ରାଇଜ୍‌ ନିର୍ମାଣରେ ସେ ସର୍ବଦା ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି । ମହିଳାମାନଙ୍କ ସ୍ଥାୟୀ ଜୀବିକା ଉପାର୍ଜନ ନିମନ୍ତେ ଉପାୟ କରିବା ଲାଗି ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ‘ଅନ୍ନପୂର୍ଣ୍ଣା ଫାଇନାନ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ସ୍ଥାପନ କରିବା ପାଇଁ ବାଟ କ‌ଢ଼ାଇ ନେଇଥିଲା । ସେ ଅନେକ ଜିଲ୍ଲା ପ୍ରଶାସନରେ ପରାମର୍ଶଦାତା ରହିବା ସହ କେତେକ ଗୋଷ୍ଠୀଭିତ୍ତିକ ପ୍ରତିଷ୍ଠାନ ସ୍ଥାପନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।

ଚାରିସ୍ତରୀୟ କଠିନ ଅନୁଶୀଳନ କରିବା ପରେ ସମଗ୍ର ଦେଶର ୧୦,୨୭୩ଜଣ ମ୍ୟାନେଜର୍‌ ଏବଂ ୪,୧୮୯ଟି ପ୍ରତିଷ୍ଠାନରୁ ‘ଗ୍ରେଟ୍‌ ପିପୁଲ୍‌ ମ୍ୟାନେଜର୍‌ ଷ୍ଟଡି’ ଏବଂ ‘ଗ୍ରେଟ୍‌ ମ୍ୟାନେଜର୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଶ୍ରେଷ୍ଠ ୧୦୦ଜଣ ଜନନେତାଙ୍କୁ ଚୟନ କରିଛନ୍ତି । ଏହା ହେଉଛି ସେମାନଙ୍କ ତୃତୀୟ ବର୍ଷର ତାଲିକା। ଏଥିରେ ବିଭିନ୍ନ ସଂସ୍ଥାନର ସଂସ୍ଥାପକ, ‘ସିଇଓ’, ବରିଷ୍ଠ ଓ କନିଷ୍ଠ ମ୍ୟାନେଜର୍‌ ଏବଂ ମାନବୀୟ ମୂଲ୍ୟବୋଧ ପ୍ରତି ଅନୁକମ୍ପା ଏବଂ ଅନ୍ୟମାନଙ୍କର ଭାବନାକୁ ହୃଦୟଙ୍ଗମ କରି ପ୍ରେରଣା ଦେଇଥିବା ଅବସରପ୍ରାପ୍ତ ବ୍ୟକ୍ତିବିଶେଷଙ୍କର ନାମ ମଧ୍ୟ ରହିଛି। ୨୦୨୦ ଏପ୍ରିଲ୍‌ରୁ ଆରମ୍ଭ ହୋଇଥିବା ଏହି ଅନୁଶୀଳନ ଓ ମୂଲ୍ୟାୟନ ପାଇଁ ପ୍ରାୟ ୧୮ ମାସ ସମୟ ଲାଗିଥିଲା । ୧୦୦ ମ୍ୟାନେଜର୍‌ଙ୍କ ତାଲିକାରେ ଥିବା ମହିଳାମାନେ ମଧ୍ୟ ପୁରୁଷ ମ୍ୟାନେଜର୍‌ଙ୍କ ତୁଳନାରେ ଯଥେଷ୍ଟ ଅଧିକ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଛନ୍ତି । ଏହି ତାଲିକାରେ ୨୦% ହେଉଛନ୍ତି ମହିଳା । ଏହି ଅନୁଶୀଳନର ଫଳାଫଳ ‘ଫୋର୍ବସ୍‌ ଇଣ୍ଡିଆ’ରେ ପ୍ରକାଶିତ ହୋଇଛି ।