ଚାଲାକ୍ ଚୀନକୁ ଚକମା ଦେବାକୁ ଶେଷ ରକ୍ତ ବିନ୍ଦୁ ଯାଏଁ ଗଲୱାନ ଘାଟିରେ ଲଢେଇ କରି ସହିଦ ହେଲେ ୨ ଓଡ଼ିଆ ଯବାନ । କନ୍ଧମାଳ ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଂଜର ନନ୍ଦୁରାମ ସୋରେନ୍ ସହିଦ । ସୀମାରୁ ଖବର ଆସିବା ପରେ ଗାଁରେ ଶୋକର ଛାୟା, ସହିଦ ହୋଇଥିବାରୁ ଗର୍ବିତ କହିଲେ ପରିବାର ଲୋକେ…

1,267

କନକ ବ୍ୟୁରୋ: ଭାରତ ଚୀନ ସୀମା ଗଲୱାନ ଘାଟିରେ ଚୀନ ସେନା ସହ ଲଢେଇରେ ଓଡ଼ିଶାର ୨ ଜଣ ବୀର ଯବାନ ସହିଦ ହୋଇଛନ୍ତି । ଦେଶପାଇଁ ସର୍ବୋଚ୍ଚ ବଳିଦାନ ଦେଇ ଦୁଇ ଯବାନ ରାଜ୍ୟର ଗର୍ବ ଗୌରବ ପାଲଟିଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଂଜ ରାଇରଙ୍ଗପୁର ବିଜାତଳା ଗାଁର ସୁବେଦାର ନନ୍ଦୁରାମ ସୋରେନ ସହିଦ ହୋଇଛନ୍ତି ।

ବାପା ଦେଶ ପାଇଁ ବଳିଦାନ ଦେଇଛନ୍ତି, ଆଉ ଭାରତ ସରକାର ଏହାର ପ୍ରତିଶୋଧ ନିଅନ୍ତୁ ବୋଲି ଦାବି କରିଛି ସହିଦ ନନ୍ଦୁରାମ ସୋରେନଙ୍କ କୁନି ଝିଅ । ସୁବେଦାର ନନ୍ଦୁରାମ ସୋରନେ ସହିଦ ହୋଇଛନ୍ତି, ଫୋନରେ ଏହି ଖବର ଶୁଣିବା ପରେ ପରିବାର ଉପରେ ବଜ୍ର ଖସି ପଡିଛି । ମୟୂରଭଂଜ ବିଜାତଳା ଗାଁରେ ଖେଳି ଯାଇଛି ଶୋକାକୂଳ ପରିବେଶ ।

ସମସ୍ତଙ୍କ ଆଖିରେ ଲୁହ । ସାରା ପରିବେଶରେ ଖେଳିଯାଇଛି ଦୁଃଖର ଲହରୀ । ଗଲୱାନ ଘାଟିରେ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ସହିଦ ହୋଇଛନ୍ତି । ଏହି ଖବର ଶୁଣିବା ପରେ ସହିଦ ଯବାନ ଚନ୍ଦ୍ରକାନ୍ତଙ୍କ ପୈତୃକ ଗ୍ରାମ କନ୍ଧମାଳ ଜିଲ୍ଲା ବିଅରପାଙ୍ଗା ଗାଁରେ ଦେଖିବାକୁ ମିଳିଛି ଶୋକର ପରିବେଶ । ସୀମାରେ ଚନ୍ଦ୍ରକାନ୍ତ ସହିଦ ହେବା ଖବର ସେନା ବିଭାଗ ପକ୍ଷରୁ ଶୁଣି ଭାଙ୍ଗିପଡିଛନ୍ତି ପୂରା ପରିବାର । ଦେଶପାଇଁ ଚନ୍ଦ୍ରକାନ୍ତ ସର୍ବୋଚ୍ଚ ବଳିଦାନ ଦେଇଥିବାରୁ ଗର୍ବିତ ବୋଲି କହିଛନ୍ତି ପରିବାର  ଲୋକ ।

ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷରେ ଓଡିଶାରେ ଦୁଇ ଯବାନ ସହିଦ ହୋଇଛନ୍ତି । ଗୁରୁବାର ସନ୍ଧ୍ୟା ସୁଦ୍ଧା ସେମାନଙ୍କ ମରଶରୀର ଜନ୍ମମାଟିରେ ପହଂଚିବ ବୋଲି ସୂଚନା ମିଳିଛି ।