ମୁ୍ମ୍ବାଇ ଡଗ୍ସ ମାମଲାର ଓଡିଶା ଲିଙ୍କ୍ : କ୍ରୁଜ ଭିତରେ ଡ୍ରଗ୍ସ ପାର୍ଟିରେ ସାମିଲ ଥିବା ଦୁଇ ଓଡ଼ିଆ ଯୁବକ ଗିରଫ

ସେପଟେ ଆରୟନଙ୍କ ରିମାଣ୍ଡ ଖାରଜ ବେଳେ କୋର୍ଟରେ ଯୁକ୍ତି ରଖି ଏନସିବି କହିଥିଲା; ବିଟ କଏନରେ ହୋଇଥିଲା କାରବାର

292

କନକ ବ୍ୟୁରୋ : ମୁମ୍ବାଇ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଛି ଓଡିଶା ଲିଙ୍କ୍ । ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ ଗିରଫ ହୋଇ ଏନସିବି ରିମାଣ୍ଡରେ ଥିବାବେଳେ ଦୁଇଜଣ ଓଡିଆ ବି ଗିରଫ ହୋଇଛନ୍ତି । ଏମାନେ ହେଲେ ଅଭିନ୍ନ ସାହୁ ଓ ମନୀଷ ରାଜଗରିଆ । ଏମାନଙ୍କ ଘର ରାଉରକେଲାରେ ବୋଲି ଜଣାପଡିଛି । ଶନିବାର ରାତିରେ ମୁମ୍ବାଇ ସମୁଦ୍ରରେ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ଏହି ଦୁଇଜଣ ସାମିଲ ହୋଇଥିଲେ । ଗିରଫ ୧୬ ମଧ୍ୟରେ ଏହି ଦୁଇଜଣ ଓଡିଆ ଥିବା ଜଣାପଡିଛି । ଗିରଫ ଦୁଇ ଜଣ ଓଡ଼ିଆ ହେଲେ ରାଉରକେଲା ସିଭିଲ୍ ଟାଉନସିପ୍ ଅଞ୍ଚଳର ଶିଳ୍ପପତିଙ୍କ ପୁଅ ମନୀଷ ରାଜଗାରିଆ ଓ ପୁରୁଣା ଟାକ୍ସିଷ୍ଟାଣ୍ଡ ଅଞ୍ଚଳର ସୁନା ବ୍ୟବସାୟୀଙ୍କ ପୁଅ ଅଭିନ୍ ସାହୁ ।

ସେମାନଙ୍କଠାରୁ ପ୍ରାୟ ୧୫ ଗ୍ରାମ ଓଜନର ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଜବତ କରାଯାଇଛି, ଯାହାର ଆନ୍ତର୍ଜାତିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏମାନଙ୍କ ସହ ଗିରଫ ଅନ୍ୟ ଦୁଇ ଜଣ ହେଲେ ଅବଦୁଲ୍ କାଦିର୍ ଓ ଶ୍ରେୟସ ନାୟାର । ଗିରଫ ୪ ଅଭିଯୁକ୍ତଙ୍କୁ ୧୧ ତାରିଖ ଯାଏ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଛି ଏନ୍‌ସିବିର ତଦନ୍ତକାରୀ ଟିମ୍ । ଏହାକୁ ମିଶାଇ ଏହି ଡ୍ରଗ୍ସ ପାର୍ଟି ମାମଲାରେ ଏବେ ସୁଦ୍ଧା ୧୨ଜଣ ଗିରଫ ହୋଇ ସାରିଲେଣି । ଏମାନଙ୍କ ବ୍ୟତୀତ ଆଉ ୮ ଜଣ ଏନ୍‌ସିବିର ସ୍କାନରରେ ଥିବାରୁ ଆଗକୁ ଗିରଫଦାରି ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ମନୀଷ ଓ ଅଭିନ୍ ଅନେକ ସମୟରେ ମୁମ୍ବାଇକୁ ଯିବାଆସିବା କରନ୍ତି । ସେମାନେ ସେଠାରେ ରହି ପାଠ ମଧ୍ୟ ପଢ଼ୁଥିବା ଜଣାପଡ଼ିଛି । ମୁମ୍ବାଇରୁ ଗୋଆ ଯାଉଥିବା ଏହି କ୍ରୁଜ୍‌ ଜାହାଜରେ ଡ୍ରଗ୍ସ ପାର୍ଟିର ଆୟୋଜନ ହେଉଥିବା ଶୁଣି ଉଭୟ ସେଥିରେ ଯୋଗ ଦେଇଥିଲେ । ଆଉ ଏନ୍‌ସିବିର ଚଢ଼ଉ ସମୟରେ ଚରସ୍‌ ସହ ଧରା ପଡ଼ିଥିଲେ । ନିଶାଦ୍ରବ୍ୟ ଚାଲାଣକାରୀ ଶ୍ରେୟସ ନାୟାର ବାହାରେ ରହି ଡ୍ରଗ୍ସ ଯୋଗାଉଥିଲା । ଏହି ଦୁଇ ଜଣ ତା’ଠାରୁ ଡ୍ରଗ୍ସ ନେଇ କ୍ରୁଜ୍‌କୁ ଯାଇଥିବା ସନ୍ଦେହ କରାଯାଉଛି ।

ମନୀଷଠାରୁ ନିଶାଦ୍ରବ୍ୟ ଜବତ ହୋଇଥିବା ବେଳେ ଅଭିନ୍ ସାଙ୍ଗରେ ନିଶାଦ୍ରବ୍ୟ ନେଇ ଯାଇଥିବା ଓ ଖାଇଥିବା ସ୍ବୀକାର କରିଛି । ଦୁଇ ଜଣଙ୍କୁ ବୟାନକୁ ଭିତ୍ତି କରି ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । କେବଳ ଏହି ଦୁଇ ଜଣ ନୁହନ୍ତି, ରାଉରକେଲାରୁ ଆହୁରି ୮ ଜଣ ଯାଇଥିବା କୁହାଯାଉଛି । ଏହି ଦୁଇଜଣଙ୍କ ବିରୋଧରେ ପ୍ରମାଣ ମିଳିଥିବା ବେଳେ ଅନ୍ୟମାନେ ସ୍କାନରରେ ରହିଛନ୍ତି । ତଦନ୍ତ ନ ସରିବା ପର୍ଯ୍ୟନ୍ତ ସେମାନଙ୍କୁ ମୁମ୍ବାଇ ଛାଡ଼ି ନ ଯିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।