ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ: ୨ ସଂକ୍ରମିତ ଗଞ୍ଜାମ ଜିଲ୍ଲାର ସୂଚନା; ବର୍ତ୍ତମାନ ସୁଦ୍ଧା ୧୬ଜିଲ୍ଲାକୁ ଛୁଇଁଲା କରୋନା: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି

622

କନକ ବ୍ୟୁରୋ: ଗଂଜାମକୁ ବ୍ୟାପିଲା କରୋନା । ପ୍ରଥମ ଥର ପାଇଁ ଗଂଜାମ ଜିଲ୍ଲାରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ପ୍ରକାଶିତ ମ୍ୟାପରୁ ଜଣାପଡିଛି । ତେବେ ଆକ୍ରନ୍ତ ପୁରୁଷ ନା ମହିଳା ଏବଂ ସେମାନେ କେଉଁ ଅଚଂଳର ଓ ସେମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । କେବେଲ ଆଜି ଚିହ୍ନଟ ହୋଇଥିବା ଦୁଇ ନୂଆ ଆକ୍ରାନ୍ତ ଗଂଜାମ ଜିଲ୍ଲାର ବୋଲି ସ୍ପଷ୍ଟ କରିଛି ।

ଅନ୍ୟପଟେ, ଦୁଇ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୨ ଜଣ ଆକ୍ରାନ୍ତ ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବଂ ଜଣଙ୍କର ଦୁର୍ଭାଗ୍ୟବଶତଃ ମୃତ୍ୟୁ ଘଟିଛି ।

ସେପଟେ, ରାଜ୍ୟର ସର୍ବାଧିକ ଆକ୍ରାନ୍ତଙ୍କ ଜିଲ୍ଲା ପାଲଟିଛି ଯାଜପୁର । ଗତକାଲି ଯାଜପୁରରେ ୮ ଜଣ ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଂଚିଛି । ଗୋଟିଏ ଦିନରେ ୮ ଆକ୍ରାନ୍ତ ଚିହ୍ନଟ ପରେ ଖୋର୍ଦ୍ଧାକୁ ଟପିଯାଇଛି ଯାଜପୁର । ୪୮ ସଂକ୍ରମିତଙ୍କ ସହ ଏବେ ସର୍ବାଧିକ ସଂକ୍ରମିତଙ୍କ ଜିଲ୍ଲା ପାଲଟିଯାଇଛି ଏବଂ ଯାଜପୁର ଜିଲ୍ଳାକୁ ଓଡିଶାର ନୂଆ ହଟସ୍ପଟ ବୋଲି ସରକାର ଘୋଷଣା କରିଛନ୍ତି । ଜିଲ୍ଲାରେ ଚିହ୍ନଟ ୪୮ ଜଣଙ୍କ ମଧ୍ୟରୁ ମାତ୍ର ଜଣେ ସୁସ୍ଥ ହୋଇଥିବାବେଳେ ୪୭ଟି ସକ୍ରିୟ କେସ୍ ରହିଛି । ଗତକାଲି ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।