କନକ ବ୍ୟୁରୋ: ଫୋନ୍ ନଉଠାଇବାରୁ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ଘଟଣାଟି କର୍ଣ୍ଣାଟକ ଚମରାଜନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ୨୩୦ କିଲୋମିଟର ଯାତ୍ରା କରି ବାପ ଘରେ ଥିବା ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ କିଶୋର । ସୂଚନା ଅନୁସାରେ ପୂର୍ବ ଚମରାଜନଗରରେ ପୋଲିସ କନଷ୍ଟେବଳ ଭାବେ କାମ କରୁଥିବା କିଶୋର ଡି ନିକଟରେ ବାପା ହୋଇଥିଲେ । ତାଙ୍କ ସ୍ତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ ପୁଅ ହେବା ପରେ ସେ ବାପ ଘରେ ଥିଲେ । କୌଣସି ବିବାଦ ନେଇ ସ୍ୱାମୀ – ସ୍ତ୍ରୀଙ୍କ ଭିତରେ ଝଗଡା ହୋଇଥିଲା । ଏହାପରେ କିଶୋର, ପତ୍ନୀ ପ୍ରତିଭାଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ସେ ଫୋନ୍ ଉଠାଇ ନଥିଲେ । ଦେଢଶହ ଥର ଫୋନ୍ କରିବା ପରେ ବି ପତ୍ନୀ ଫୋନ୍ ନଉଠାଇବାରୁ ୨୫୦ କିମି ଦୂର ଶ୍ୱଶୁର ଘର ଯାଇ କିଶୋର, ପତ୍ନୀ ପ୍ରତିଭାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରତିଭା ୨୪ ବର୍ଷୀୟ ହୋଇଥିବାବେଳେ କିଶୋରଙ୍କ ବୟସ ୩୨ ବର୍ଷ । ଗତବର୍ଷ ନଭେମ୍ବର ୧୧ ତାରିଖରେ ଦୁହିଁଙ୍କର ବିବାହ ହୋଇଥିଲା । ପୋଲିସ ମାମଲାରେ କିଶୋରଙ୍କୁ ଗିରଫ କରି ତଦନ୍ତ କରୁଛି ।

Advertisment

ସେହିପରି ଆଉ ଏକ ଅଜବ ହତ୍ୟାକାଣ୍ଡ ଘଟଣା ଆସିଛି ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରୁ । ସ୍ୱାମୀ ଅସୁନ୍ଦର ଓ କଳା ଦେଖିବାକୁ ହୋଇଥିବାରୁ ସ୍ୱାମୀକୁ ପୋଡି ମାରିଦେଇଥିଲା ସ୍ତ୍ରୀ । ୨୦୧୯ ମସିହାର ଏହି ହତ୍ୟାକାଣ୍ଡରେ ପତ୍ନୀକୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହାସହ ୨୫ ହଜାର ଟଙ୍କାର ଆର୍ଥିକ ଦଣ୍ଡ ମଧ୍ୟ ଶୁଣାଇଛନ୍ତି । ୨୦୧୯ ଏପ୍ରିଲ ୧୫ ତାରିଖରେ କୁଢଫତେଗଡ ଥାନା ଅଂଚଳରେ ବେଚୌଟା ଗାଁର ୨୫ ବର୍ଷୀୟ ଯୁବକ ସତ୍ୟବୀର ସିଂହକୁ ତେଲ ଢାଳି ଜିଅନ୍ତା ପୋଡି ଦିଆଯାଇଥିଲା । ସତ୍ୟବୀରଙ୍କ ଭାଇ ଏନେଇ ତାଙ୍କ ପତ୍ନୀ ପ୍ରେମଶ୍ରୀ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ । ସତ୍ୟବୀରଙ୍କ ପରିବାର ଲୋକଙ୍କ ଅଭିଯୋଗ ଥିଲା କି ବିବାହ ପରଠାରୁ ପ୍ରେମଶ୍ରୀ ନିଜ ସ୍ୱାମୀଙ୍କ କଳା ରଙ୍ଗକୁ ନେଇ ସବୁବେଳେ ଝଗଡା କରୁଥିଲେ । ଘଟଣାରେ ପୋଲିସ ପ୍ରେମଶ୍ରୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା । ୪ ବର୍ଷ ପରେ ଏହାର ଶୁଣାଣି ଶେଷ ହୋଇଛି । ସତ୍ୟବୀର କଳା ଓ ଦେଖିବାକୁ ଅସୁନ୍ଦର ଥିବାରୁ ତାଙ୍କୁ ପୋଡି ହତ୍ୟା କରିଥିବା କୋର୍ଟରେ ସ୍ୱୀକାର କରିଛନ୍ତି ପ୍ରେମଶ୍ରୀ । ଏ ମାମଲାରେ କୋର୍ଟ ତାଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ।