ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ଖୋଲିଲା ଆଉ ୨ଟି ଗେଟ୍

୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ୨ଲକ୍ଷ ୧୬ହଜାର ୭୯୪ ଘନଫୁଟ୍ ଜଳ ; ସେପଟେ ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷ ସମ୍ଭାବନା

176

କନକ ବ୍ୟୁରୋ : ହୀରାକୁଦ ଡ଼୍ୟାମର ଖୋଲିଲା ଆଉ ଦୁଇଟି ଗେଟ । ଜଳ ସ୍ତର ବଢୁଥିବାରୁ ଆଉ ୨ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଜଳ ସ୍ତର ୬୨୯ ଦଶମିକ୍ ୫୮ ଫୁଟ୍ ରହିଛି । ହୀରାକୁଦ୍ ଜଳ ଭଣ୍ଡାରକୁ ୧ ଲକ୍ଷ ୮୬ ହଜାର ୨୭୯ ଘନ ଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୧୬ହଜାର ୭୯୪ ଘନଫୁଟ୍ ଜଳ ନିଷ୍କାସିତ ହେଉଛି ।

ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟର ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୋନପୁର, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର ଆଦି ଜିଲ୍ଲାରେ ଗତକାଲି କିଛି ସ୍ଥାନରେ ବର୍ଷା ହୋଇଛି ।

ଅନ୍ୟପଟେ ଆସନ୍ତା ୨୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ତଥା ତତ୍ ସଂଲଗ୍ନ ଉତର ପୂର୍ବ ବଙ୍ଗୋପସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୬ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି କୁହାଯାଉଛି ।