କନକ ବ୍ୟୁରୋ : ଡରାଇଲାଣି ଝାଡାବାନ୍ତି ରୋଗ । ୩ ଦିନରେ ଗଲାଣି ୬ ଜୀବନ । ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ୨୦୦ ଆକ୍ରାନ୍ତ । ହସ୍ପିଟାଲରୁ ଆସିଛି ବିକଳ ଚିତ୍ର । ହସ୍ପିଟାଲରେ କିଏ ରୋଗୀଙ୍କ ଗୋଡ ଘଷି ଦେଉଛି । କିଏ କପଡା ଘୋଡେଇ ଦେଉଛି । ପୁଣି କିଏ ଡାକ୍ତର ନର୍ସଙ୍କୁ ଡାକିବାକୁ ଯାଉଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳୁଛି ଏମିତି ଦୃଶ୍ୟ । ରାଉରକେଲାରେ ଝାଡାବାନ୍ତି ବ୍ୟାପିବାରୁ ରୋଗୀଙ୍କ ସଂଖ୍ୟା ବଢୁଛି । ସାଂଘାତିକ କଥା ହେଉଛି ଗତ ୩ ଦିନରେ ଝାଡାବାନ୍ତି ୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା ।
ପାନପୋଷ, ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଅଞ୍ଚଳର ଅଧିକାଂଶ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । କେଉଁ କାରଣରୁ ଡାଇରିଆ ବ୍ୟାପିଲା ତାହା ଜଣାପଡିନାହିଁ । କାରଣ ଜାଣିବା ପାଇଁ ପରୀକ୍ଷା କରିବାକୁ ନମୁନା ପଠାଯାଇଛି ।
ରାଉରକେଲାରେ ଝାଡାବାନ୍ତି ସ୍ଥିତି ଅସମ୍ଭାଳ ହୋଇଛି । ସରକାରୀ ଡାକ୍ତରଖାନାରେ ୨ଶହ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ରୋଗୀଙ୍କୁ ଆବଶ୍ୟକ ଔଷଧ ସହ ସୁଷମ ଖାଦ୍ୟ ଯୋଗାଇ ଦିଆଯାଉଛି । ଘରୋଇ ମେଡିକାଲରେ ମଧ୍ୟ ବହୁ ରୋଗୀ ଚିକିତ୍ସିତ ହେଉଛନ୍ତି । ସେପଟେ ସୁନ୍ଦରଗଡ ମେଡିକାଲ କଲେଜରୁ ଆସିଥିବା ୮ ଜଣିଆ ବିଶେଷଜ୍ଞ ଟିମ ହସ୍ପିଟାଲରେ ପହଞ୍ଚିଥିଲେ । ରୋଗୀଙ୍କ ସହ ଆଲୋଚନା କରିଛନ୍ତି ଅନୁଧ୍ୟାନକାରୀ ଟିମ୍ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ । ସରକାରୀ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲରେ ଅନେକ ରୋଗୀ ଚିକିତ୍ସିତ ହେଉଛନ୍ତି । ଯେଉଁ ରୋଗୀଙ୍କୁ ଆଇସିୟୁର ଆବଶ୍ୟକତା ପଡୁଛି ତାଉପରେ ମଧ୍ୟ ପ୍ରଶାସନ ନଜର ରଖିଛି ।