ବାଲେଶ୍ୱରରେ ୨ ନୂଆ କରୋନା ପଜିଟିଭ୍ ଚିହ୍ନଟ ପରେ ୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । କାହା ସଂସ୍ପର୍ଶରେ ଆସିଥିଲେ ଆକ୍ରାନ୍ତ ଟ୍ରାଭେଲ୍ ହିଷ୍ଟ୍ରୀ ଓ କଣ୍ଟାକ୍ଟ ଟ୍ରେସିଂ ଜାରି…

1,615

କନକ ବ୍ୟୁରୋ: ନୂଆ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ନିକଟରେ ବାଲେଶ୍ୱରରେ ପ୍ରଥମ ଥର ପାଇଁ ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହେବା ପରେ ଆଜି ପୁଣି ଜିଲ୍ଲାର ୨ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ୱିଟ୍ ଯୋଗେ ତଥ୍ୟ ଦିଆଯାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ କେଉଁଠିକୁ ଯାଇଥିଲେ, କାହା ସହିତ ମିଶିଥିଲେ ଓ ତାଙ୍କର ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାହାର ଟ୍ରେସିଂ କରାଯାଉଛି ।

ସେପଟେ ଭଦ୍ରକରେ ନୂଆ ୫ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ୫ଟି ପଂଚାୟତକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି । ଗୋଟିଏ ଦିନରେ ବାସୁଦେବପୁରରେ ୩ ଓ ଭଣ୍ଡାରୀପୋଖରୀରେ ୨ ପଜିଟିଭ୍ ଚିିହ୍ନଟ ହେବା ପରେ ସମ୍ପୃକ୍ତ ଅଂଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ଭଣ୍ଡାରୀପୋଖରୀର ରହଣିଆ, ତେସିଙ୍ଗା ପଂଚାୟତର କିଛି ଅଂଚଳକୁ ସିଲ୍ କରିଛି ପ୍ରଶାସନ । ଏନେଇ ଭଦ୍ରକ ଜିଲ୍ଲା ପ୍ରାଶସନ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ପଜିଟିଭ୍ ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟରେ ୮ଜଣ ପଜିଟିଭ୍ ବାହାରିଲେଣି ଏବଂ ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୧୯ ତାରିଖ ରାତି ସୁଦ୍ଧା ୧୦ ହଜାର ୬୪୧ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୧୦ ହଜାର ୫୭୩ଟି ନେଗେଟିଭ୍ ଆସିଥିବାବେଳେ ୬୮ ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଛି । ସେପଟେ ଏପର୍ଯ୍ୟନ୍ତ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୪୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟର ତୃତୀୟ ଘଟଣା । ଏପ୍ରିଲ ୫ ତାରିଖରେ ୧୮, ଏପ୍ରିଲ ୩ରେ ୧୫ ଓ ଏପ୍ରିଲ ୧୯ ଅର୍ଥାତ ଗତକାଲି ରାତିରେ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।