ମନୀଷ ମୃତ୍ୟୁ ମାମଲାରେ ଖୋଲୁନି ରହସ୍ୟ । ଆତ୍ମସମର୍ପଣ କଲେ ଦୁଇ ବନ୍ଧୁ, ମୃତ୍ୟୁ ଉପରୁ ଉଠିପାରେ ପରଦା ।

212

କନକ ବ୍ୟୁରୋ : ମନୀଷ ମୃତ୍ୟୁ ମାମଲାରେ ତାଙ୍କ ଦୁଇ ଜଣ ସାଙ୍ଗ ଆଜି କନ୍ଧମାଳରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ବି ଅଛନ୍ତି । ଏହି ଘଟଣା ଏବେବି ରହସ୍ୟ ଘେରରେ ଥିବାରୁ ସାଙ୍ଗ ମାନଙ୍କଠାରୁ ସମସ୍ତ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । କାରଣ ସେହି ରାତିରେ ମନୀଷଙ୍କ ସହ କିଛି ସାଙ୍ଗ ଥିଲେ ଏବଂ ପରେ ମନୀଷଙ୍କର ମୃତଦେହ ମିଳିଥିଲା ।

ମନୀଷ ଅନୁରାଗଙ୍କ ମୃତ୍ୟୁ ଉପରୁ ହଟୁନି ପରଦା । ଦୁଇ ସାଙ୍ଗଙ୍କ ଆତ୍ମସମର୍ପଣ ପରେ ରହସ୍ୟ ବଢିଲା । ଭୁବନେଶ୍ୱରରେ ମୃତ୍ୟୁ ଘଟଣାର କନ୍ଧମାଳ ଲିଙ୍କ୍ । ମନୀଷଙ୍କ ସହ ଶେଷ ରାତିରେ ଥିବା ଦୁଇ ସାଙ୍ଗ କନ୍ଧମାଳ ସ୍ପେଶାଲ ସ୍କ୍ୱାର୍ଡ ଆଗରେ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଫୁଲବାଣୀ ସହର ପିଅନ ପଡାର ମୃତ୍ୟୁଞ୍ଜୟ ମିଶ୍ର ଓ ଆମଲାପଡାର ଦିନେଶ ମହାପାତ୍ର ।

ଆତ୍ମସମର୍ପଣ କରିବା ପରେ ମୃତ୍ୟୁଞ୍ଜୟ ଓ ଦିନେଶଙ୍କୁ ପଚରାଉଚରା କରିବାକୁ ଯାଇଥିଲା ଭୁବନେଶ୍ୱର ଇନଫୋସିଟି ଥାନା ପୁଲିସର ଟିମ୍ । ଏବେ ଫୁଲବାଣୀରୁ ଦୁଇ ଯୁବକଙ୍କୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରାଯିବ । ପୂର୍ବରୁ ମନୀଷଙ୍କ ସାଙ୍ଗ ତଥା ସାମ୍ବାଦିକ ହିମାଂଶୁ ବେହେରାଙ୍କୁ ଫୁଲବାଣୀରୁ ଉଠାଇ ଆଣିଥିଲା କମିସନରେଟ ପୁଲିସ । ଏହି ତିନି ଯୁବକଙ୍କୁ ପଚରା ଉଚରା କରି ମନୀଷଙ୍କ ମୃତ୍ୟୁ ରହସ୍ୟ ଭେଦ କରିବାକୁ ଉଦ୍ୟମ କରୁଛି କମିସନରେଟ ପୁଲିସ ।

ମନୀଷଙ୍କ ମୃତ୍ୟୁ ଶ୍ୱାସ ରୁଦ୍ଧ ଯୋଗୁଁ ହୋଇଥିବା ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ରାତିି ୪ଟା ୧୧ରୁ ୪ଟା ୧୮ ଭିତରେ ମନୀଷଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ଅଘଟଣ ଘଟିଥିବା ରାତିରେ ମନୀଷଙ୍କ ସହ ଥିବା ତିନି ସାଙ୍ଗଙ୍କୁ ପୁଲିସ ଅଟକ ରଖି ମୃତ୍ୟୁର କାରଣ ଖୋଜୁଛି । ଏବେ ପ୍ରଶ୍ନ ଉଠୁଛି
– ମନୀଷଙ୍କ ଶ୍ୱାସ ରୁଦ୍ଧ ହେଲା କେମିତି ?
– ତିନି ସାଙ୍ଗଙ୍କ ସହ ମନୀଷ ଥିବା ବେଳେ ମୃତ୍ୟୁ ହୋଇଛି କି ?
– ମୃତ୍ୟୁ ପାଇଁ ପୁଲିସ ହେପାଜତରେ ଥିବା ୩ ସାଙ୍ଗ ଦାୟୀ କି ?
– ମନୀଷଙ୍କ ମୃତ୍ୟୁ ଜାଣିବା ପରେ ତିନି ସାଙ୍ଗ ଲୁଚି ରହିଥିବାରୁ ସନ୍ଦେହ ବଢୁଛି
– ମନୀଷଙ୍କ ମୃତ୍ୟୁ ପରେ କାହିଁକି ସେମାନେ ପୁଲିସ କିମ୍ବା ମନୀଷଙ୍କ ପରିବାରକୁ ଯୋଗାଯୋଗ କରିନଥିଲେ ?

ଅକ୍ଟୋବର ୧୦ରେ ମନୀଷ ଅନୁରାଗଙ୍କ ମୃତଦେହ ପାତ୍ରପଡା ନିକଟ ପୋଖରୀରୁ ମିଳିଥିଲା । ଅଘଟଣ ଘଟିଥିବା ରାତିରେ ମନୀଷ ସହ ରହିଥିବା ୩ ସାଙ୍ଗକୁ ପୁଲିସ ପଚରା ଉଚରା କରି ପ୍ରକୃତ ସତ ସାମ୍ନାକୁ ଆଣିବ ବୋଲି ଆଶା କରାଯାଉଛି ।