ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ୭୨ ଲକ୍ଷ ଲୋକଙ୍କୁ ୨ ମାସ ମାଗଣା ରାସନ । ଅଟୋ ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି

227

କନକ ବ୍ୟୁରୋ : କରୋନା ମହାମାରୀ କବଳରେ ପୁରା କବଳିତ ଦିଲ୍ଲୀ । କେଉଁଠି ଅକ୍ସିଜେନର ଅଭାବ ତ କେଉଁଠି ମେଡିସିନ୍ ଓ ମେଡିକାଲ ବେଡର ଅଭାବ । ଏହାରି ଭିତରେ ରାଜ୍ୟସରକାରଙ୍କ ପାଖରୁ ଅନେକ କ୍ଷମତା କାଢି ନେଇ ଉପରାଜ୍ୟପାଳଙ୍କ ହାତରେ ଦେଇଛନ୍ତି କେନ୍ଦ୍ର ସରକାର । ହେଲେ ଏବେ ବି ଲୋକଙ୍କ ପାଇଁ କାମ କରିବାକୁ ପ୍ରତିଶୃତିବଦ୍ଧ ଦିଲ୍ଲୀ ସରକାର ।

କରୋନା କାଳରେ ଲୋକଙ୍କର ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି । ଏହି ସମୟରେ ଲୋକଙ୍କ ସାହାଯ୍ୟର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନେକ ସହାୟତା ଯୋଜନା ଘୋଷଣା କରୁଛନ୍ତି    । କେନ୍ଦ୍ର ସରକାର ୨ ମାସର ମାଗଣା ରାସନ ଘୋଷଣା କରିଥିବା ବେଳେ ଦିଲ୍ଲୀ ସରକାର ଦିଲ୍ଲୀର ୭୨ ଲକ୍ଷ ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ୨ ମାସର ରାସନ ଦେବାକୁ ଘୋଷଣା କରିଛନ୍ତି ।
ଏହସହ ଦିଲ୍ଲୀରେ ଯେତେ ଅଟୋ ଓ ଟ୍ୟାକ୍ସି ଚାଳକ ଅଛନ୍ତି ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି । କହିରଖୁ କି ଗତବର୍ଷ ବି ଲକଡାଉନ ସମୟରେ ଦିଲ୍ଲୀ ସରକାର ରାଜ୍ୟର ୧,୫୬, ୦୦୦ ଅଟୋ ଓ ଟ୍ୟାକ୍ସି ଚାଳକଙ୍କୁ ସହାୟତା ମିଳିଥିଲା ।

ଏହି ଘୋଷଣା ବେଳେ କେଜ୍ରିିୱାଲ କହିଛନ୍ତି କି ଦିଲ୍ଲୀରେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ଫଳରେ କରୋନା ଚେନ ଭାଙ୍ଗିବ ଓ ସଂକ୍ରମିତଙ୍କ ସଂଖ୍ୟା କମିବ ବୋଲି ସରକାର ଆଶା କରୁଛନ୍ତି । ହେଲେ ଲକଡାଉନ ବେଳେ ସେହି ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଯେଉଁମାନଙ୍କ ପରିବାର ଦୈନିକ ରୋଜଗାର ଉପରେ ନିର୍ଭର କରେ । ତେଣୁ ସେମାନଙ୍କ ଦୈନିକ ରୋଜଗାର ଯେତେବେଳେ ବନ୍ଦ ହୋଇଯାଇଛି ସେମାନଙ୍କୁ ସହାୟତା ଯୋଗାଇବା ସରକାରଙ୍କ ଦାୟିତ୍ୱ ।