ଟିକାକରଣ ବେଳେ ନେତାଙ୍କ ଦାଦାଗିରି । ନିୟମ ଭାଙ୍ଗି ଜୋର ଜବରଦସ୍ତ ଟିକା ନେଲେ ୨ ବିଧାୟକ । ହୋଇପାରେ ମାମଲା ରୁଜୁ

415

କନକ ବ୍ୟୁରୋ : ଯେଉଁଠି ଦେଖ ନେତା । ସେ ଠିକାଦାରୀ ହେଉ କି ଟିକାକରଣ ହେଉ ସବୁଠି ରାଜନେତାଙ୍କ ପ୍ରଭାବ । ଦୈନିକ ସଭାସମିତିରେ ନିୟମର ପାଠ ପଢାଉଥିବା ନେତା ମାନେ ବ୍ୟକ୍ତିଗତ ଜୀବନରେ ତାହାକୁ କେମିତି ପାଳନ କରନ୍ତି ତାହା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ଏଠାରେ ଦୁଇଜଣ ତୃଣମୂଳ କଂଗ୍ରେସ ବିଧାୟକ ଟିକାଦାନ କେନ୍ଦ୍ରରେ ପଶି ଜୋର ଜବରଦସ୍ତି ଟିକା ନେଇଛନ୍ତି ।

ଆଜି ଠାରୁ ସାରା ଦେଶରେ କରୋନା ବିରୋଧରେ ଟିକାକରଣ ଆରମ୍ଭ ହୋଇଛି । ସରକାରୀ ନିୟମ ମୁତାବକ ଏହି ପ୍ରଥମ ପର୍ଯ୍ୟାୟ ଟିକାକରଣ ବେଳେ କେବଳ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯିବ । ଯାହା ମଧ୍ୟରେ ସମସ୍ତ ମେଡିକାଲ ଷ୍ଟାଫ, ସଫେଇ କର୍ମଚାରୀ ଓ ସାଧାରଣ ସେବାରେ ଥିବା କର୍ମଚାରୀ ଅନ୍ତର୍ଭୁକ୍ତ । ହେଲେ ଜନପ୍ରତିନିଧି ମାନେ କରୋନା ଯୋଦ୍ଧା ନୁହନ୍ତି ବୋଲି ପ୍ରଧାନମନ୍ତ୍ରୀ ବହୁ ଆଗରୁ କହିସାରିଛନ୍ତି । ମାତ୍ର ପଶ୍ଚିମବଙ୍ଗର ୨ ଜଣ ବିଧାୟକଙ୍କ କାର୍ଯ୍ୟକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଭାଟାର ନିର୍ବାଚନମଣ୍ଡଳୀରେ ଏକ ଟିକାଦାନ କେନ୍ଦ୍ରରେ ଟିକାକରଣ ଚାଲିଥିବା ବେଳେ ହଠାତ୍ ସ୍ଥାନୀୟ ବିଧାୟକ ସୁବାସ ମଣ୍ଡଲ ସେଠାରେ ପହଂଚି ତାଙ୍କୁ ଟିକା ଦିଆଯାଉ ବୋଲି କହିଥିଲେ । ଏହା ନିୟମ ବାହାରେ ବୋଲି ସ୍ୱାସ୍ଥ୍ୟକର୍ମୀ ମାନେ କହିବାରୁ ବିଧାୟକ ତାଙ୍କ ଅସଲ ରୂପ ଦେଖାଇଥିଲେ । ବିଧାୟକଙ୍କର ଏଭଳି ଦାଦାଗିରି ଆଗରେ କର୍ତ୍ତବ୍ୟମୂଢ ହୋଇଯାଇଥିଲେ ସ୍ୱାସ୍ଥ୍ୟକର୍ମୀ ମାନେ । ବାଧ୍ୟ ହୋଇ ବିଧାୟକଙ୍କୁ ଟିକା ଦେଇଥିଲେ । ଏହି ଗୋଟିଏ ଘଟଣା ନୂହେଁ କଟୱା ବିଧାନସଭାର ଟିଏମସି ବିଧାୟକ ରବି ଚାଟାର୍ଜୀ ବି ସମାନ ଢଙ୍ଗରେ ଦାଦାଗିର କରି ଟିକା ନେଇଛନ୍ତି । ବିଧାୟକଙ୍କ ଏଭଳି କାର୍ଯ୍ୟକଳାପକୁ ସ୍ଥାନୀୟ ଲୋକମାନେ ନାପସନ୍ଦ କରିଥିବା ବେଳେ ସେମାନଙ୍କ ନାମରେ ମାମଲା ରୁଜୁ ହେଉ ବୋଲି ଦାବି କରିଛନ୍ତି ।

କହିରଖୁ କି ଚଳିତ ବର୍ଷ ଏପ୍ରିଲରୁ ମେ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତାହା ପୂର୍ବରୁ ବିଜେପି ଯେଭଳି ଭାବେ ଟିଏମସିକୁ ଟାର୍ଗେଟ କରୁଛି ତାହାରି ମଧ୍ୟରେ ଦଳର ବିଧାୟକ ମାନଙ୍କର ଏଭଳି କାର୍ଯ୍ୟକଳାପ ବିଜେପି ପାଇଁ ମଉକା ଆଣି ଦେଉଛି ।