ଜଗତସିଂହପୁରରେ ୨ ବର୍ଷର ଶିଶୁ ପୁତ୍ର ମୃତଦେହ ମିଳିବା ଘଟଣା : ଦୋଷ ମାନିଲା ହତ୍ୟାକାରୀ, ଜାଣନ୍ତୁ କିଏ ଓ କାହିଁକି କଲେ ହତ୍ୟା ?

458

କନକ ବ୍ୟୁରୋ : ଜଗତସିଂହପୁରରେ ୨ ବର୍ଷର ଶିଶୁ ପୁତ୍ର ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ ହୋଇଛି । ଗାଁର ଜଣେ ମହିଳା ଓ ତା’ର ନାବାଳକ ପୁଅ ଶିଶୁପୁତ୍ରକୁ ମାରି କେନାଲରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି । ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିରିଡ଼ି ଥାନା ପୋଲିସ । ନାବାଳକ ଜଣଙ୍କ ବାଉଁଶ ନେଇ ଆସିଲା ବେଳେ ଶିଶୁପୁତ୍ରର ଛାତିରେ ବାଉଁଶ ବାଜିଥିଲା । ଫଳରେ ଶିଶୁପୁତ୍ରଟି ଅଚେତ ହୋଇଯାଇଥିଲା । ଚେତା ନଫେରିବାରୁ ନାବାଳକ ଜଣଙ୍କ ଭୟରେ କେନାଲକୁ ଫିଙ୍ଗିଦେଇଥିବା ଜଣାପଡ଼ିଛି ।

ସୁଚନା ଅନୁସାରେ ଶିଶୁପୁତ୍ରଟି ମାମୁଁଘରକୁ ବୁଲିବାକୁ ଆସି ନିଖୋଜ ହୋଇଯାଇଥିଲା । ଦୁଇ ଦିନ ପରେ ମାମୁଁ ଘର ନିକଟ ଏକ ନାଳରୁ ଉଦ୍ଧାର ହୋଇଥିଲା ମୃତଦେହ । ସକାଳୁ ଗାଁ ଲୋକ ଖୋଜାଖୋଜି କରୁଥିବା ବେଳେ ମୃତଦେହ ଦେଖିବାକୁ ପାଇଥଲେ । ତେବେ ଶିଶୁଟିର ମୃତ୍ୟୁ କେମିତି ହୋଇଥିଲା, ତାହା ଜଣାପଡିନଥିଲା । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଶିବପୁର ପଂଚାୟତର ଶଙ୍କରପୁର ଗାଁକୁ ମାମୁଁଘର ବୁଲି ଆସିଥିଲା ଶିଶୁ ପୁତ୍ର ।

ମଙ୍ଗଳପୁରର କହ୍ନେଇଲାଲ୍ ଭୋଇ ଓ ଶୁନୁଲତା ଭୋଇଙ୍କ ଦୁଇ ବର୍ଷର ପୁଅ ସୌମ୍ୟରଂଜନ ଓରଫ ବାପୁନ୍। କହ୍ନେଇଲାଲ୍ ଓଡ଼ିଶା ବାହାରେ ରହି କାମ କରନ୍ତି। ପ୍ରାୟ ଦୁଇ ବର୍ଷ ହେବ ବଡ଼ ଝିଅ ଏବଂ ପୁଅକୁ ନେଇ ଶୁନୁଲତା ନିଜ ବାପ ଘର ଶଙ୍କରପୁର ଗାଁରେ ରହୁଥିଲେ । ଗତ ସୋମବାର ଦିନ ପ୍ରାୟ ୧୧ଟା ବେଳେ ସୌମ୍ୟ ଘର ଅଗଣାରେ ଖେଳୁଥିଲା । ମା’ ପଚାରିବା ବେଳେ ପିଲାଟି ଖନି ଖନି ପାଟିରେ ସେଇଠି ଖେଳୁଥିବା କହିଥିଲା । କିଛି ସମୟ ଭିତରେ ହଠାତ୍ ଗାଏବ୍‌ ହୋଇ ଯାଇଥିଲା ।

ବହୁ ଖୋଜାଖୋଜି ପରେ ପରିବାର ଲୋକ ବିରିଡ଼ି ଥାନା ଅଧିକାରୀ ନିରଞ୍ଜନ ମଲ୍ଲିକଙ୍କୁ ଜଣାଇବା ପରେ ସେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ । ଶିଶୁ ପୁତ୍ରକୁ ଜଣେ ଫେରିବାଲା ଲୁନାରେ ବସାଇ ନେଇ ଯାଉଥିବା କଥା ଗାଁର ଜଣେ ମହିଳା କହିଥିଲେ । ପୁଅକୁ ଖୋଜାଖୋଜି ପରେ ନପାଇବାରୁ ଘର ଲୋକେ ନିକଟସ୍ଥ ଥାନାରେ ଅପହରଣ ନେଇ ଅଭିଯୋଗ କରିଥିଲେ । ବିରିଡି ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରିବା ସହ ସେହି ଗାଁର ତିନି ଜଣଙ୍କୁ ସନ୍ଦେହ ଘେରରେ ରଖି ତଦନ୍ତ ଚଳାଇଥିଲା ।