ଆଇପିଏଲ ମହାମୁକାବିଲା : ଆଜି ମୁମ୍ବାଇ-ରାଜସ୍ଥାନ, ଦିଲ୍ଲୀ-କୋଲକାତା ଲଢେଇ । ବିଜୟ ସହ ପଏଣ୍ଟ ଟେବୁଲର ଉପରକୁ ଉଠିବା ଲକ୍ଷ୍ୟରେ ସବୁ ଦଳ ।

77

କନକ ବ୍ୟୁରୋ : ଆଇପିଏଲ୍ ମହାସମରର ଆଜି ମୁମ୍ବାଇ ଇଣ୍ଡିଆନ୍ସ-ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ-କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ-ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ଅପରାହ୍‌ଣ ୩ଟା ୩୦ରୁ ଏବଂ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ-କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ରାତି ୭.୩୦ରୁ ଖେଳାଯିବ। ଉଭୟ ମ୍ୟାଚ୍ ବେଶ୍ ରୋଚକ ହେବ ବୋଲି ଆଶା କରାଯାଉଛି।

ତେବେ ଗୁରୁବାର ପଡ଼ିଆକୁ ଓହ୍ଲାଇବାକୁ ଥିବା ଚାରିଟି ଦଳ ମଧ୍ୟ‌ରୁ କେବଳ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ଭବତଃ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଦକ୍ଷତାମୂଳକ ଖେଳ ଖେଳିପାରିଛି। ଅନ୍ୟ ତିନି ଦଳର ଅଭିଯାନ ଏକପ୍ରକାର ଦିଗ ହରାଇ ବସିଛି। ପ୍ରତିଯୋଗିତାର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟକ୍ରମ ବିଫଳତା ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ରାଜସ୍ଥାନ ବି କରୋନା ମାଡ଼ ସହ ଆଘାତ ଜନିତ ସମସ୍ୟା ପାଇଁ ଏପର୍ଯ୍ୟନ୍ତ ଆଖିଦୃଶିଆ ସଫଳତା ହାସଲ କରିନି। ବେନ୍ ଷ୍ଟୋକ୍ସ ଯିବା ପରେ ଦଳର ସନ୍ତୁଳନ ବି ଏକପ୍ରକାର ବିଗିଡ଼ି ଯାଇଛି।

ଅନ୍ୟପକ୍ଷରେ ଦୁଇ ଥର ବିଜେତା ଦଳ କୋଲକାତା ନାଇଟ୍ ରାଇଡର୍ସ ତାର ପୂର୍ବ ମ୍ୟାଚରେ ଆଧିପତ୍ୟଭରା ବିଜୟ ହାସଲ କରିଥିଲେ ମଧ୍ୟ ଯେତିକି ସଫଳତା ପାଇବା କଥା ସେତିକି ପାଇନି। ଏହି ଦଳ ମଧ୍ୟ ଏକ ସଠିକ୍ ଚୂଡ଼ାନ୍ତ ଦଳ ପାଇବା ଲାଗି ଏବେ ବି ସଂଘର୍ଷ କରୁଛି। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ସଞ୍ଜୁ ସାମସନଙ୍କ ଅଧିନାୟକତ୍ବରେ ଖେଳୁଥିବା ରାଜସ୍ଥାନ ରୟାଲ୍ସ ୫ଟି ଲେଖାଏଁ ମ୍ୟାଚ୍ ଖେଳି ୨ଟି ଲେଖାଏଁ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ମ୍ୟାଚ୍ ଖେଳି ୪ଟି ବିଜୟ ପାଇଥିଲା‌ ବେଳେ କୋଲକାତା ନାଇଟ୍ ରାଇଡର୍ସ ସେହି ୬ ମ୍ୟାଚ୍ ଖେଳି କେବଳ ୨ ମ୍ୟାଚରେ ବିଜୟର ମିଠା ସ୍ବାଦ ଚାଖିଛି। ଏଣୁ ଗୁରୁବାର ଖେଳ ମୁମ୍ବାଇ, ରାଜସ୍ଥାନ ଓ କୋଲକାତା ପାଇଁ ଢେର ଗୁରୁତ୍ବ ବହନ କରିବ।

କରୋନା ସଙ୍କଟ‌ ନେଇ ଅଷ୍ଟ୍ରେଲୀୟ ଖେଳାଳିଙ୍କ ପ୍ରତ୍ୟାହାର ସହ ଜୈବ ବଳୟର କଠିନ ଜୀବନ ସତ୍ତ୍ବେ ଉଭୟ ଦିଲ୍ଲୀ ଓ ଅହମ୍ମଦାବାଦରେ ଉଚ୍ଚକୋଟୀର କ୍ରିକେଟ୍ ଦେଖିବାକୁ ମିଳିବ ବୋଲି ପ୍ରଶଂସକଙ୍କୁ ସବୁ ଦଳର ଅଧିନାୟକ ଆଶ୍ୱସ୍ତ କରିଛନ୍ତି। ବିସିସିଆଇ ସାରା ବିଶ୍ବର କୋଟି କୋଟି କ୍ରିକେଟପ୍ରେମୀଙ୍କୁ କରୋନା ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବାକୁ ଆହ୍ବାନ କରିବା ସହ ଖେଳାଳିଙ୍କ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଉଥିବା ପ୍ରତିଶ୍ରୁତି ଦେଇଛି।