ବାହାରେ ଠିକ୍ ଭିତରେ ଭୁଲ : ଗଣିତ ବଦଳରେ ମିଳିଲା ଫିଜିକ୍ସ ଖାତା

27

କନକ ବ୍ୟୁରୋ : ଗଣିତ ବଦଳରେ ମିଳିଲା ପଦାର୍ଥ ବିଜ୍ଞାନ ଖାତା । ତା ପୁଣି ଅନ୍ୟ ଜଣଙ୍କର । ରାଜ୍ୟ ଶିକ୍ଷା ବୋର୍ଡ଼ ଭୁଲରେ ବଳି ପଡ଼ୁଛନ୍ତି ମେଧାବୀ ଛାତ୍ରଛାତ୍ରୀ । ସିବିଏସସିର ଭୁଲକୁ ରାଜ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ରାଜ୍ୟ ଭୁଲକୁ କହିବ କିଏ ।

ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଭୁଲ୍, ଫଳ ଭୋଗୁଛନ୍ତି ଛାତ୍ରଛାତ୍ରୀ । ସାମ୍ନାକୁ ଆସିଛି ସିଏଚ୍ଏସ୍ଇର ପୁନଃମୂଲ୍ୟାୟନରେ ସାଂଘାତିକ ବିଭ୍ରାଟ । କୋରାପୁଟ ଜୟପୁର ସହରର ସୌରଭ ସାହୁ ଏକ ଘରୋଇ କଲେଜରେ ପଢି ଯୁକ୍ତ-୨ ବିଜ୍ଞାନରେ ୫୫ ପ୍ରତିଶତ ରଖି ପାସ୍ କରିଛନ୍ତି । ହେଲେ ସେ ତାଙ୍କ ଗଣିତ ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ବେଳେ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିଲେ । ଏହିକ୍ରମରେ ତାଙ୍କ ପାଖରୁ ଏକ ପରୀକ୍ଷା ଖାତା ଆସିଛି । ଉପରେ ତାଙ୍କ ନାଁ ସହ ମାଥମେଟିକ୍ସ ପେପର ଲେଖା ହୋଇଥିବା ବେଳେ ଭିତରେ ରହିଛି ଫିଜିକ୍ସ ପେପର । ତାହା ପୁଣି ଅନ୍ୟ ଛାତ୍ରଙ୍କର । ଏଥିରୁ ସ୍ପଷ୍ଟ ଯେ, ରାଜ୍ୟ ସରକାରଙ୍କ ଶିକ୍ଷା ବୋର୍ଡ଼ ପିଲାଙ୍କ ଭବିଷ୍ୟତ ସହ କିପରି ଖେଳ ଖେଳୁଛି ।

ଅଭିଯୋଗ ହୋଇଛି ଶିକ୍ଷା ବିଭାଗର ତରବରିଆ ମୂଲ୍ୟାୟନ ଯୋଗୁଁ ବହୁ ଛାତ୍ରଛାତ୍ରୀ ମାନସିକ ଚାପରେ ରହୁଛନ୍ତି । ପିଲାମାନେ ସେମାନଙ୍କ ସଠିକ ମାର୍କ ପାଇ ପାରୁନାହାଁନ୍ତି । ଫଳରେ ବିଭିନ୍ନ ପ୍ରତିଯୋଗୀତାରେ ସିଏଚଏସଇ ଛାତ୍ରଛାତ୍ରୀ ସୁଯୋଗ ପାଉନଥିବା ଅଭିଯୋଗ ହୋଇଛି । ଚଳିତ ବର୍ଷା ଯୁକ୍ତ-୨ ପରୀକ୍ଷାରେ ରାଜ୍ୟର ମାତ୍ର ୨୭ ଜଣ ପିଲା ୯୦ ପ୍ରତିଶତ ମାର୍କ ରଖିଥିବା ବେଳେ ସିବିଏସସିରେ ଗୋଟିଏ ସ୍କୁଲରୁ ୯୦ ପ୍ରତିଶତ ପିଲା ୯୦ ପରସେଂଟ ରଖିଛନ୍ତି । ଯାହା ରାଜ୍ୟର ଶିକ୍ଷା ନୀତି ଉପରେ ପ୍ରଶ୍ନ ଠିଆ କରିଛି ।