ଆଜିଠୁ ଆରମ୍ଭ ହେଲା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ । ଏପ୍ରିଲ ପହିଲାରେ ରାଜ୍ୟରେ ଟିକା ନେଲେ ୨ ଲକ୍ଷରୁ ଅଧିକ ଲୋକ ।

77

କନକ ବ୍ୟୁରୋ: ଆଜିଠାରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହୋଇଛି । ଏପ୍ରିଲ ପହିଲା ପ୍ରଥମ ଦିନରେ ଟିକାକରଣର ୨ ଲକ୍ଷ ଟାର୍ଗେଟ ପୂରଣ କରିଛି ଓଡିଶା । ଆଜି ଗୋଟିଏ ଦିନରେ ୨ ଲକ୍ଷ ୩ ହଜାର ୧୬୨ ଜଣଙ୍କୁ ଟିକା ଦିଆଯାଇଛି । ସେପଟେ ଦୀର୍ଘ ମାସର ବ୍ୟବଧାନ ପରେ ଓଡ଼ିଶାରେ ପ୍ରାୟ ୪ ଶହକୁ ଛୁଇଁଛି କରୋନା ମିଟର । ଆଜି ରାଜ୍ୟରେ ରେକର୍ଡ ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିରୁ ୨୩୧ ଓ ଲୋକାଲ କଂଟାକ୍ଟରୁ ୧୬୩ ଜଣ ଚିହ୍ନଟ ହୋଇଛନ୍ତି ।

ଏହା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରେ ୪୩, ନୂଆପଡାରୁ ୪୦, ବରଗଡରୁ ୩୪ ଓ ସୁନ୍ଦରଗଡରୁ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ୧୬୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ୨୪୬ରେ ପହଂଚିଛି ।

ଏପଟେ ଦେଶରେ କରୋନା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ୭୨ ହଜାର ୩୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫୯ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟ ୧୭୨ ଦିନ ପରେ ସବୁଠୁ ଅଧିକ ଚିହ୍ନଟ ହୋଇଛି । ଗତ ୨୪ ଘଂଟାରେ ୪୦ ହଜାର ୩୮୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୮୪ ହଜାର ୫୫ରେ ପହଂଚିଛି । ସେହିପରି ଛୁଟି ଦିନରେ ବି ଓଡ଼ିଶାରେ କରୋନା ଟିକା ଦେବାକୁ ନିଷ୍ପତି ନେଇଛନ୍ତି ସରକାର ।