ଲଗାଣ ବର୍ଷାରେ ଘଟିଗଲା ଅଘଟଣ । କେନ୍ଦ୍ରାପଡ଼ାରେ କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ

80

କନକ ବ୍ୟୁରୋ : କେନ୍ଦ୍ରାପଡାରେ କାନ୍ଥ ଭୁଶୁଡି ୨ଜଣଙ୍କ ମୃତ୍ୟୁ ହୋଇଛି ।  ପାଟକୁରା ଥାନା ଅନ୍ତର୍ଗତ ବଡ଼ ବେତରା ଗାଁରେ ଅଘଟଣ । ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ପଡ଼ି ଅଭୟ ମହାପାତ୍ର ନାମକ ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତି ରାତିରେ ବୃଦ୍ଧ ଜଣଙ୍କ ଶୋଇଥିବା ଅବସ୍ଥାରେ ଏଭଳି ଘଟଣା ଘଟିଛି । ସେହିପରି ଡେରାବିଶର ଢିହସାହିରେ କାନ୍ଥ ଭୁଶୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ୬୦ବର୍ଷୀୟା ନର୍ମଦା ପୃଷ୍ଟି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ବର୍ଷା ଲାଗିରହିଛି । ତେଣୁ ସ୍ଥିତି ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବଡ଼ ବର୍ଷା ଯୋଗୁଁ ସହରତଳୀ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ ।

ପାହାଡ଼ିଆ ଅଞ୍ଚଳରେ ମାଟି ଧସିବା, ରାସ୍ତା ଧୋଇଯିବା, ମାଟି ଘର ଭାଙ୍ଗିବା ପରି ସମସ୍ୟା ଉପୁଜିପାରେ । ତେଣୁ ଜିଲ୍ଲାଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବା ସହ ବର୍ଷାର ସ୍ଥିତି ଉପରେ ନଜର ରଖିବାକୁ ବିଡିଓ, ତହସିଲଦାରମାନଙ୍କୁ ନିର୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼ରେ ୩୦ରୁ ୪୦ କିମି ଏବଂ ସ୍ଥଳ ବିଶେଷରେ ୫୦ କିମି ବେଗରେ ପବନ ହେବାକୁ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ସାଧାରଣ ଲୋକଙ୍କୁ କୁହାଯାଇଛି ।