କପେ ଚା ପିଇବାକୁ ହେଲେ ଆପଣ ବ୍ୟାଗରେ ନୋଟ୍ ଭରି ନେବାକୁ ହେବ । ଆଳୁ ୨ କେଜି ପାଇଁ ଆପଣଙ୍କୁ ଦେବାକୁ ପଡିବ ୧ ଲକ୍ଷ ଟଙ୍କା

୨ କେ.ଜି ଆଳୁର ଦାମ୍ ୧ ଲକ୍ଷ ଟଙ୍କା

7,592

କନକ ବ୍ୟୁରୋ : ଯେତେବେଳେ ଭାରତ ପାକିସ୍ତାନ ଉପରେ କିଛି କ୍ଷେତ୍ରରେ କଟକଣା ଲଗାଏ ସେତେବେଳେ ହଠାତ୍ ପାକିସ୍ତାନରେ କିଛି ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଏ । ଏମିତି ବି ଥରେ ଦେଖିବାକୁ ମିଳିଥିଲା ଯେତେବେଳେ ଭାରତ ପାକିସ୍ତାନକୁ ବିଲାତି ଯୋଗାଣ ବନ୍ଦ କରିଦେବା ଫଳରେ ପାକିସ୍ତାନରେ ବିଲାତି କିଲୋପ୍ରତି ୩ ଶହ ଟଙ୍କାରେ ବିକ୍ରି ହୋଇଥିଲା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱରେ ଏମିତି ଏକ ଦେଶ ଅଛି ଏବେ ଯେଉଁଠାରେ ଆଳୁ କିଲୋପ୍ରତି ୫୦ ହଜାର ଟଙ୍କାରେ ବିକ୍ରି ହେଉଛି । ଆପଣ କଥାଟିକୁ ବିଶ୍ୱାସ ନକରିପାରିଲେ ବି କଥା ଟି ସତ ।

ଆମେ କହୁଛୂୁ ଭେନଜୁଏଲା ଦେଶର କଥା । ଏଠି ବର୍ତମାନ ୨ କେ.ଜି ଆଳୁ କିଣିବାକୁ ହେଲେ ଆପଣଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ପଡିବ । ଏହାର କାରଣ ଜାଣିବାକୁ ଚାହୁଁଛନ୍ତି କି ? । ତେବେ ଆସନ୍ତୁ ଜାଣିବା କ’ଣ ପାଇଁ ଭେନଜୁଏଲାରେ ଏଭଳି ମୂଲ୍ୟ ରହିଛି । ଗୋଟିଏ ସମୟରେ ଭେନିଜୁଏଲା ଏକ ସମୃଦ୍ଧ ଦେଶ ଭାବେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିଲା । ହେଲେ ଆଜି ଏ ଦେଶର ଆର୍ଥିକ ସ୍ଥିତି ପୁରା ବଦଳି ଯାଇଛି । ଏଠାରେ ଏକ କପ୍ ଚା ବା କଫି ପିଇବାକୁ ହେଲେ ଆପଣଙ୍କୁ ବ୍ୟାଗରେ ଟଙ୍କାର ବିଡା ଧରି ଯିବାକୁ ପଡିବ । କାରଣ ଏବେ ଏ ଦେଶର ମୁଦ୍ରାସ୍ପିତି ହାର ବହୁ ଅଧିକ । ତେଣୁ ଏଠିକାର ସରକାର ଲୋକମାନଙ୍କୁ ନୋଟ୍ ବୋହିବା କଷ୍ଟରୁ ରକ୍ଷା କରିବାକୁ ଏବେ ବଡନୋଟ୍ ଜାରି କରିବାକୁ ଯାଉଛନ୍ତି । ବଲୁମବର୍ଗ ରିପୋର୍ଟ ମୁତାବକ ନଗଦ ଅଭାବରୁ ଭେନେଜୁଏଲାର ବ୍ୟାଙ୍କ ନୋଟ୍ ଛାପିବା ପାଇଁ ବାହାର ଦେଶରୁ କାଗଜ ଆମଦାନି କରୁଛି ।

ଅନ୍ୟପଟେ ଭେନଜୁଏଲାର କେନ୍ଦ୍ରୀୟ ବ୍ୟାଙ୍କ ଏବେ ୧ ଲକ୍ଷ ଟଙ୍କିଆ ନୋଟ୍ ପ୍ରସ୍ତୁତ କରୁଥିବା ଜଣାପଡିଛି । ଏହି ନୋଟ୍ ମାର୍କେଟକୁ ଆସିବା ପରେ ଏହା ବିଶ୍ୱର ସବୁଠାରୁ ବଡ ନୋଟ୍ ହେବ ବୋଲି ଜଣାପଡିଛି । ହେଲେ ୧ ବିଲିୟନ ବୋଲାର (ଭେନଜୁଏଲାର ମୁଦ୍ରା) ନୋଟର ମୂଲ୍ୟ କେବଳ ୦.୨୩ ଡଲାର ରହିବ । ଏହାର ଅର୍ଥ ଏକ ବିଲିୟନ ବୋଲାର ବା ଭାରତୀୟ ମୁଦ୍ରାରେ ଏକ ଲକ୍ଷ ଟଙ୍କା ରେ କେବଳ ୨ କେଜି ଆଳୁ ମିଳିପାରିବ । ଗତବର୍ଷ ଭେନଜୁଏଲାର ମହଙ୍ଗା ଦର ୨୪ ଶହ ପ୍ରତିଶତ ଥିଲା । ସେଠିକାର ସରକାର ଏହାକୁ ଦୃଷ୍ଟିରେ ରଖି ୫୦ ହଜାର ଟଙ୍କିଆ (ବୋଲାର) ନୋଟ୍ ଛାପିଥିଲେ । ହେଲେ ଚଳିତ ବର୍ଷ ମହଙ୍ଗାଦର ଗତବର୍ଷ ତୁଳାନରେ ଦ୍ୱିଗୁଣିତ ହୋଇଥିବାରୁ ଏବେ ୧ ଲକ୍ଷ ଟଙ୍କିଆ ନୋଟ୍ ଛାପିବାକୁ ପ୍ରସ୍ତୁତ ହେଉଛି । କ୍ରମାଗତ ୭ ବର୍ଷ ଧରି ଭେନଜୁଏଲାର ଅର୍ଥ ବ୍ୟବସ୍ଥା ମାନ୍ଦା ରହିଛି । ଏହାସହ ଚଳିତ ବର୍ଷ କରୋନା ମହାମାରୀ ଓ ତୈଳ ରାଜସ୍ୱ ହ୍ରାସ କାରଣରୁ ଭେନଜୁଏଲାର ଅର୍ଥବ୍ୟବସ୍ଥାର ଆକାର ୨୦ ପ୍ରତିଶତ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏହାକୁ ନେଇ ସରକାର ମୁଦ୍ରା ସଂଖ୍ୟା ହ୍ରାସ କରିବାକୁ ନିସ୍ପତ୍ତି ନେଇଛନ୍ତି ।