କନକ ବ୍ୟୁରୋ : ଥାନାରେ ସଜେଇ ହୋଇ ରହିଛି ପୁଳା ପୁଳା ସୁନା ଗହଣା । ଏହି ବେଆଇନ ସୁନା କାରବାର ପଛର କାହାଣୀ ବେଶ ରୋଚକ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଞ୍ଜାବରୁ ଆସିଛି ଏହି ସୁନାଗହଣା । ଜିଏସଟି ଫାଙ୍କିବା ପାଇଁ ପଞ୍ଜାବ ଅମୃତସରରୁ ଏହି ସୁନାଗହଣାକୁ ଆଣି କଟକରେ ବିନା କାଗଜ ପତ୍ରରେ ବିକ୍ରି ପାଇଁ ଉଦ୍ୟମ ଚାଲିଥିଲା । ବେଆଇନ ଭାବେ ଏହି ସୁନା ଗହଣାକୁ କଟକ ନୟାସଡ଼କରେ ବିକ୍ରି ଉଦ୍ୟମ ବେଳେ ଖବର ପାଇ ଅଚାନକ ଚଢ଼ାଉ କରିଥିଲା କମିଶନରେଟ ପୋଲିସ ।
ତେବେ ଜବତ ସୁନା ବାବଦରେ ସୂଚନା ଦେଇ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ପ୍ରାୟ ୨କେଜି ୨୯ଗ୍ରାମ ଓଜନର ମିକ୍ସ ଗୋଲଡ ଗହଣା ଜବତ ହୋଇଛି । ଯାହାର ମୂଲ୍ୟ ୫୩ଲକ୍ଷ ଟଙ୍କା ହେବ ବୋଲି ଅଭିଯୁକ୍ତ କହିଛି । ସେହିପରି ୨୭ ହଜାର ୮୦୦ ଗୋଲ୍ଡ ପ୍ଲେଟେଡ ଗହଣା ମଧ୍ୟ ଅଭିଯୁକ୍ତ ନିକଟରୁ ଜବତ କରାଯାଇଛି । ତେବେ ମୁଖ୍ୟତଃ ଏହି ସୁନା ଗହଣା କାରବାର ପଛରେ ଜିଏସଟି ଫାଙ୍କି ସାମ୍ନାକୁ ଆସିଥିବାରୁ କମିଶନରେଟ ପୋଲିସ ଜିଏସଟି ବିଭାଗକୁ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଜଣାଇଦେଇଛି ।
ଏହା ଛଡା ବିନା କାଗଜପତ୍ରରେ ଏହି ସୁନା ଗହଣା ବିକ୍ରି ପାଇଁ ଉଦ୍ୟମ ହୋଇଥିବାରୁ, ଏହି ସୁନା କେଉଁଠୁ ଆଣିଥିଲେ ଅମୃତସରର ସେହି ବ୍ୟକ୍ତି, ସେ ସଂପର୍କରେ ମଧ୍ୟ ପୁଲିସ ଖୋଳତାଡ କରିବ ବୋଲି ଜଣାପଡିଛି । ଏଥିରେ ଆଉ କିଏ କିଏ ସଂପୃକ୍ତ, ନୟାସଡକର କେଉଁ ବେପାରୀମାନେ ବିନା କାଗଜପତ୍ରରେ ସୁନା କିଣୁଥିଲେ ତାହା ମଧ୍ୟ ଖୋଳତାଡ କରିବ କମିଶନରେଟ ପୁଲିସ ।