ଗୁଡି ସୂତା ଲାଗି ୨ ଆହତ । ପୀଉସିଙ୍କ ଘରେ ଭୋଜିଖାଇ ବାପାଙ୍କ ସହ ଫେରୁଥିବେଳେ ୭ ବର୍ଷର ନାବାଳକର କଟିଗଲା ବେକ

154

କନକ ବ୍ୟୁରୋ : ଗୁଡି ସୂତା ଲାଗି ୭ ବର୍ଷର ଶିଶୁ ଗୁରୁତର । ବାଲେଶ୍ୱର ଟାଉନରୁ ଆସିଛି ଏଭଳି ଏକ ଖବର । ଗୁରୁତର ଅବସ୍ଥାରେ ଶିଶୁଟିକୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ସ୍ଥାନାନ୍ତର କରାଯାଇଛି । ଆଜି ଅପରାହ୍ଣ ସାଢେ ୩ଟା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । କୁନି ପୁଅଟି ନିଜ ବାପା ଶଶିକାନ୍ତ ମହଲାଙ୍କ ସହ ବାଇକରେ ଆସୁଥିବାବେଳେ ଆହତ ହୋଇଥିବା ଜଣାପଡିଛି । ବାଇକର ଆଗରେ ବସିଥିବାରୁ ଗୁଡି ସୂତା ଲାଗି ଗୁରୁତର ହୋଇ ପଡିଛି ଶିଶୁଟି । ବାପାଙ୍କ ସହ ପିଉସି ଘର ମଲ୍ଲସସାରୁ ଭୋଜି ଖାଇ ନିଜ ଗାଁ ଦୁମୁଦା ଫେରୁଥିବାବେଳେ ଗୁଡି ସୂତା କଟି କୁନି ପୁଅର ବେକରେ ଗୁଡେଇ ହୋଇ ଯାଇଥିଲା । ଫଳରେ ଗୁରୁତର ହୋଇ ପଡିଥିଲା କୁନି ପୁଅଟି । ସେହିପରି ମୋତିଗଂଜ ଅଂଚଳରେ ଗୁଡି ସୂତା ଲାଗି ଆଉ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣା ପଡିଛି । ପ୍ରଶାସନର ନାନା କଟକଣା ଓ ପ୍ରତିବନ୍ଧକ ସତ୍ୱେ, ଗୁଡି ଉଡାଇବା ପାଇଁ ମାଂଜା ସୂତାର ପ୍ରୟୋଗ ହେଉଛି । ଯାହାର ପରିଣାମ ଏଭଳି ନୀରିହ ଜୀବନ ଭୋଗୁଛନ୍ତି ।