ସୁବର୍ଣ୍ଣରେଖା ନଦୀ ଅବବାହିକାରେ ୩୦ ଏକର ଜମିରେ ଲାଗିଛି ଆଖୁ । ଗୁଡ଼ ପ୍ରସ୍ତୁତ କରି ଲାଭବାନ ହେଉଛନ୍ତି ବସ୍ତା ଗିଲାଯୋଡି ଗାଁର ୨୦୦ ପରିବାର

69

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଗିଲାଯୋଡି ଗାଁର ୨ଶହରୁ ଉଦ୍ଧ୍ୱର୍ ପରିବାର ଆଖୁରୁ ଗୁଡ ପ୍ରସ୍ତୁତ କରି ଗୁଜୁରାଣ ମେଂଟାଉଛନ୍ତି । ବାଲେଶ୍ୱରର ଜୀବନ ରେଖା କୁହାଯାଉଥିବା ସୁବର୍ଣ୍ଣରେଖା ନଦୀର ଅବବାହିକା ଅଖୁ ଚାଷ ପାଇଁ ପ୍ରକୃଷ୍ଠ କ୍ଷେତ୍ର । ନଦୀର ପଟୁ ମାଟିରେ ହେଉଥିବା ଆଖୁ ଅଧିକ ରଶାଳ ଶ୍ୱାଦିଷ୍ଟ ଏବଂ ମିଠା ହୋଇଥିବାରୁ ଏହି ଚାଷକୁ ଆପଣେଇଥାନ୍ତି ଗିଲାଯୋଡି ଗାଁର ବାସିନ୍ଦା । ଚାଷ ଭଲ ଅମଳ ହେଉଥିଲେ ବି ସରକାରଙ୍କ ପ୍ରୋତ୍ସାହନ ଅଭାବ ଏବଂ ଉଚିତ ବଜାର ମୁଲ୍ୟ ମିଳୁନଥିବା ବେଳେ ବଜାରରେ ନକଲି ଏବଂ କେମିକାଲ ମିଶ୍ରିତ ଗୁଡ କମ୍ ମୁଲ୍ୟରେ ମିଳୁଥିବାରୁ ଏହି ଗୁଡ ବ୍ୟବସାୟ ଉପରୁ ମୁହଁ ଫେରାଉଛନ୍ତି ଆଖୁଚାଷୀ । ଏଠାରେ ଆଖୁ ମଣ୍ଡି କିମ୍ବା ଗୋଟିଏ ଚିନି କଳ ବସାଇବା ପାଇଁ ଦାବିି କରିଛନ୍ତି ଚାଷୀ ।

ସୁବର୍ଣ୍ଣରେଖା ନଦୀର ଅବବାହିକାରେ ୩୦ ଏକରରୁ ଉର୍ଦ୍ଧ୍ୱ ଜମିରେ ଆଖୁଚାଷ କରିଛନ୍ତି ଗ୍ରାମବାସୀ । ଏକ ଏକର ଜମିରେ ଆଖୁଚାଷ ପାଇଁ ଖର୍ଚ୍ଚ ହୋଇଥାଏ ୭୦ରୁ ୮୦ ହଜାର ଟଙ୍କା । ୧ ଲକ୍ଷ ୩୦ ରୁ ୪୦ ହଜାର ଟଙ୍କା ରୋଜଗାର ହୋଇଥାଏ ଏହି ଚାଷ । ଏକ ଏକର ଜମିରୁ ପାଖାପାଖି ୩୫ ରୁ ୪୦ କୁଇଂଟାଲ ଗୁଡ ମିଳିଥାଏ । ଆଉ ଗୁଡ ପ୍ରସ୍ତୁତ କରିବା ପାଇଁ ଖର୍ଚ୍ଚ ହୋଇଥାଏ ୨୫ ହଜାର ଟଙ୍କା । ଚାଷୀ ବ୍ୟବସାୟୀଙ୍କୁ କୁଇଂଟାଲ ପିଛା ୪ ହଜାର ଟଙ୍କାରେ ବିକ୍ରି କରୁଥିବା ବେଳେ ବ୍ୟବସାୟୀ ବଜାରରେ ୫ ରୁ ୭ ହଜାରରେ ବିକିଥାନ୍ତି । ଏହି ଅଂଚଳର ଗୁଡ ବାଲେଶ୍ୱର ସମେତ ମୟୁରଭଞ୍ଜ, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରି ହୋଇଥାଏ । ଏବେ ବଜାରକୁ ପଶ୍ଚିମବଙ୍ଗରୁ ନକଲି ଏବଂ କେମିକାଲ ଯୁକ୍ତ ଗୁଡ ଆସୁଥିବାରୁ ବ୍ୟବସାୟ କମ ହେଉଥିବା କହିଛନ୍ତି ଚାଷୀ ।

ଯଦି ସରକାର ଏଠାରେ ଆଖୁ ସଂଗ୍ରହ କରିବା ପାଇଁ ଆଖୁ ମଣ୍ଡି କିମ୍ବା ଚିନିକଳ ବସାନ୍ତି ତାହାହେଲେ ଚାଷୀ ମାନେ ଉପକୃତ ହେବା ସହ ଅଧିକ ଆଖୁଚାଷ କରିବା ପାଇଁ ମନ ନିବେଶ କରନ୍ତେ । ଏହି ଅଂଚଳର ଚିନି ଆଉ ଗୁଡ ଓଡିଶା ସମେତ ବାହାର ରାଜ୍ୟରେ ବିକ୍ରି ହୋଇ ପାରନ୍ତା ।