ସମୁଦ୍ରରେ ଗାଧୋଇବା ହେଲା କାଳ । ଚାଲିଗଲା ୨ ଛାତ୍ରୀଙ୍କ ଜୀବନ । ୧୦ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ମୃତଦେହ ।

1,265

କନକ ବ୍ୟୁରୋ: ସମୁଦ୍ରକୁ ଗାଧୋଇବାକୁ ଯାଇ ଚାଲିଯାଇଛି ୨ ଛାତ୍ରୀଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲିରେ ଘଟିଛି ଏହି ଦୁଃଖଦ ଘଟଣା । ସୂଚନା ଅନୁସାରେ, ୫ଜଣ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ସେମାନେ ଗାଧୋଇବାବେଳେ ପ୍ରଖର ସ୍ରୋତରେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ସୁରକ୍ଷିତ ଉଦ୍ଧାର ହୋଇଥିବାବେଳେ, ୨ଜଣଙ୍କ ପତା ମିଳିନଥିଲା । ଖୋଜାଖୋଜି ପରେ ଜଣଙ୍କ ମୃତଦେହ ମିଳିଥିଲା । ଶେଷରେ ବହୁ ଖୋଜାଖୋଜି ପରେ, ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଉ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଘଟଣାସ୍ଥଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

  • ସମୁଦ୍ରରେ ଗାଧୋଇବା ହେଲା କାଳ
  • ଭାସିଗଲେ ୫ ଜଣ ଛାତ୍ରୀ
  • ୨ ମୃତ, ୩ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲି ଗାଁରେ ଅଭାବନୀୟ ଘଟଣା ଘଟିଛି । ସକାଳୁ ସକାଳୁ ଏପରି ଦୁଃଖ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି । ୨ ଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି, କାନ୍ଦ ବୋବାଳିରେ ଫାଟିପଡ଼ିଛି ପରିବାର । ଆଜି ଦିନ ତମାମ ରେସକ୍ୟୁ ଅପରେସନ୍ ଚାଲିଥିଲା । ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍, କୋଷ୍ଟଗାର୍ଡର ଅତ୍ୟାଧୁନିକ ଏୟାରକ୍ରାଫ୍ଟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ସମୁଦ୍ର ଉପରେ ପ୍ରାୟ ଦେଢ଼ ଘଣ୍ଟା ଧରି ଚକ୍କର କାଟିଥିଲା ।

  • ସକାଳ ପ୍ରାୟ ୬ଟା
  • ସ୍ଥାନ: ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲି

ଶେରଗଡ଼ର ପ୍ରଜ୍ଞାରାଣୀ ତ୍ରିପାଠୀ, କନିଷି ଅଞ୍ଚଳର ସ୍ୱପ୍ନାରାଣୀ ପଣ୍ଡିତ ମାମୁଘର ଗାଁ ଆର୍ଯ୍ୟପଲ୍ଲୀକୁ ଆସିଥିଲେ ଯାତ୍ରା ଦେଖିବାକୁ । ରାତିରେ ଯାତ୍ରା ଦେଖିବା ପରେ ସକାଳୁ ସକାଳୁ ସଂପର୍କୀୟ ଭଉଣୀମାନଙ୍କ ସହ ସମୁଦ୍ରକୁ ଯାଇଥିଲେ ଗାଧୋଇବାକୁ । ହେଲେ ଜାଣିନଥିଲେ ଏକ ବଡ଼ ଅଘଟଣ ସେମାନଙ୍କୁ ଅପେକ୍ଷା କରି ରହିଛି । ସମୁଦ୍ର ଭିତରେ କରେଣ୍ଟ ଥିବାରୁ ଗାଧୋଇବା ବେଳେ ଭାସି ଯାଇଥିଲେ ୫ ଜଣ । ୩ ଜଣଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ସ୍ଥାନୀୟ ଲୋକ । କିଛି ସମୟ ପରେ ସ୍ୱପ୍ନାରାଣୀ ପଣ୍ଡିତଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଥିଲା । ପ୍ରଜ୍ଞାରାଣୀଙ୍କର ପତ୍ତା ମିଳିନଥିଲା, ପରିବାର ଉପରେ ଭାଙ୍ଗି ପଡିଥିଲା ଦୁଃଖର ପାହାଡ଼ । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସାମିଲ ହୋଇଥିଲା କୋଷ୍ଟଗାର୍ଡର ଅତ୍ୟାଧୁନିକ ଏୟାରକ୍ରାଫ୍ଟ ।

ତେବେ ଦୀର୍ଘ ସମୟ ଧରି ପ୍ରଜ୍ଞାରାଣୀଙ୍କର ଖୋଜଖବର ମିଳିନଥିଲା । ପ୍ରାୟ ଦେଢ଼ ଘଣ୍ଟା ଧରି କୋଷ୍ଟଗାର୍ଡର ଏୟାରକ୍ରାଫ୍ଟ ଡ୍ରୋନିୟର ସମୁଦ୍ରର ମାତ୍ର ୫୦୦ ମିଟର ଉପରେ ଉଡ଼ି ଖୋଜିବାକୁ ଉଦ୍ୟମ କରିଥିଲା । ଶକ୍ତିଶାଳୀ କ୍ୟାମେରାରେ ୩ କିଲୋମିଟର ରେଡିୟସରେ ସ୍କାନ୍ କରିଥିଲା । ପ୍ରାୟ ୧୦ ଘଣ୍ଟାର କସରତ ପରେ ଶେଷରେ ଉଦ୍ଧାର ହୋଇଥିଲା ପ୍ରଜ୍ଞାରାଣୀଙ୍କ ମୃତଦେହ । ଯାତ୍ରା ଦେଖିବାକୁ ମାମୁଁଘରକୁ ଆସିଥିଲେ, କିନ୍ତୁ ଏହା ଯେ ତାଙ୍କର ଶେଷ ଯାତ୍ରା ହେବ, କେହି ବିଶ୍ୱାସ କରିପାରୁନାହାନ୍ତି । ସମୁଦ୍ରରେ ଗାଧୋଇବା କାଳ ପାଲଟିଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।