ଆନନ୍ଦପୁରରେ ଅଭାବନୀୟ ଘଟଣା । ଘରେ ନଥିଲେ ବାପା-ମାଆ, କଲେଜ ପଢୁଆ ଛାତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା । ଘଟଣାସ୍ଥଳରେ ପୋଲିସର ଛାନଭିନ୍

503

କନକ ବ୍ୟୁରୋ: ବାପା ଓ ମା’ ଘରେ ନଥିବା ବେଳେ ଜଣେ କଲେଜ ପଢୁଆ ଝିଅକୁ ଦୁର୍ବୃତ୍ତମାନେ ଘରେ ପଶି ହତ୍ୟା କରିଛନ୍ତି । ମୟରଭଂଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଧାତିକିଡିହା ଗାଁର କଲୋନି ସାହିରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା । ସୂଚନା ଅନୁସାରେ ବାପା ସୁନିଲ ସିଙ୍କୁ ଓ ମା’ ଜେମାମଣି ଆଜି ସକାଳୁ ନିଜର ଅଟୋରେ ନିଟକସ୍ଥ ସାତକୋଶିଆ ହାଟକୁ ଯାଇଥିଲେ । ସେଠାରେ ସେମାନେ ବଜାର କାମ ସାରିବା ପରେ ବ୍ୟାଙ୍କକୁ ମଧ୍ୟ ଯାଇଥିଲେ । ଫଳରେ ଘରକୁ ଫେରିବା ବେଳକୁ ବିଳମ୍ବ ହୋଇଥିଲା । କିନ୍ତୁ ଘରେ ପ୍ରବେଶ କଲା ବେଳକୁ ଝିଅର ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାଳ ବିଳମ୍ବ ନକରି ରକ୍ତାକ୍ତ ଅବସ୍ଥାରେ ଝିକୁ ନିଜର ଅଟୋରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ଝିଅର ହତ୍ୟା ନେଇ ବାପା-ମା’ କିଛି କହିପାରୁ ନାହାନ୍ତି । ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି । ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ସୁନିଲ ସିଙ୍କୁଙ୍କ ଘର ଗାଁ ଠାରୁ ଅଳ୍ପ ଦୂରରେ ଅଛି। ଫଳରେ ହତ୍ୟାକାଣ୍ଡ ସଂପର୍କରେ ଗାଁର ଲୋକେମାନେ ମଧ୍ୟ କିଛି କହିପାରୁ ନାହାନ୍ତି ।