ସାଙ୍ଗ ସାଜିଲା ସଇତାନ । ମାତ୍ର ୧୦ ଟଙ୍କା ପାଇଁ ବନ୍ଧୁ ବନିଲା ବଇରୀ, ଛୁରୀ ଭୁସି ନିର୍ମମ ଭାବେ କଲା ହତ୍ୟା ।

835

କନକ ବ୍ୟୁରୋ : ସାଙ୍ଗ ସାଜିଲା ସଇତାନ । ମାତ୍ର ୧୦ ଟଙ୍କା ପାଇଁ ବନ୍ଧୁ ହେଲା ବଇରୀ । କୁହାଯାଏ, ବନ୍ଧୁତାରେ ପରସ୍ପର ପାଇଁ ଜୀବନ ବି ଦିଆଯାଇପାରେ । କିନ୍ତୁ ଉତ୍ତରପ୍ରଦେଶର ମେରଠ ଠାରେ ମାତ୍ର ୧୦ ଟଙ୍କା ପାଇଁ ଜଣେ ସାଙ୍ଗ ନିଜ ବନ୍ଧୁର ଜୀବନ ନେଇଯାଇଛି । ମାତ୍ର ୧୦ ଟଙ୍କା ପାଇଁ ପ୍ରଥମେ ଆରମ୍ଭ ହୋଇଥିଲା ବିବାଦ, ଏବଂ ପରେ ଛୁରୀ ଭୁସି ହତ୍ୟା କରିଥିଲା ଅଭିଯୁକ୍ତ ।

ପ୍ରକୃତ ଘଟଣାଟି ହେଉଛି, ମେରଠର ବ୍ରହ୍ମପୁରୀର ନୁରନଗର ଠାରେ ଦୁଇ ଜଣ ବନ୍ଧୁ ବଣ୍ଟି ଏବଂ ପ୍ରବୀଣ ମଧ୍ୟରେ ୫୦ ଟଙ୍କାକୁ ନେଇ ଜୋରଦାର ଝଗଡା ହୋଇଥିଲା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ବିବାଦ ବଢିବା ପରେ ବଣ୍ଟିକୁ ୪୦ ଟଙ୍କା ଫେରାଇ ଦେଇଥିଲା ପ୍ରବୀଣ । କିନ୍ତୁ ଆଉ ୧୦ ଟଙ୍କା ପାଇଁ ପୁଣି ଥରେ ଆରମ୍ଭ ହୋଇଥିଲା ଜୋରଦାର ଫାଇଟ୍ ।

ଝଗଡା ଏତେ ବଢିଯାଇଥିଲା, ଶେଷରେ ହତ୍ୟାରେ ଏହାର ଅନ୍ତ ହୋଇଥିଲା । ନିଜ ପ୍ରିୟ ସାଙ୍ଗ ପ୍ରବୀଣକୁ ଛୁରୀ ଭୁସି ହତ୍ୟା କରିଦେଇଥିଲା ବଣ୍ଟି । ତେବେ ଏହି ହତ୍ୟାକାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ବଣ୍ଟି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଥିଲା । ବଣ୍ଟିକୁ ଧରିବା ପାଇଁ ପୋଲିସ ଜୋରଦାର ଉଦ୍ୟମ ଚଳାଇଥିବା ବେଳେ ଅନ୍ୟପଟେ ପ୍ରବୀଣର ପରିବାରରେ ଛାଇଯାଇଛି ଦୁଃଖର ବାଦଲ ।