ଛାତ୍ରଛାତ୍ରୀ ସାବଧାନ…! ଆପଣ ନକଲି ବିଶ୍ୱବିଦ୍ୟାଳୟରେ ପଢୁନାହାନ୍ତି ତ ପାଠ? ରାଜ୍ୟରେ ରହିଛି ୨ଟି ନକଲି ବିଶ୍ୱବିଦ୍ୟାଳୟ, ୟୁଜିସି ଜାରି କଲା ତାଲିକା । ଜାଣନ୍ତୁ କେଉଁଠି ରହିଛି ଏହି ଜାଲି ବିଶ୍ୱବିଦ୍ୟାଳୟ । 

1,318

କନକ ବ୍ୟୁରୋ : ଛାତ୍ରଛାତ୍ରୀ ସାବଧାନ । ଆପଣ ନକଲି ବିଶ୍ୱବିଦ୍ୟାଳୟରେ ପଢୁନାହାନ୍ତି ତ ପାଠ । କାରଣ ଶିକ୍ଷା ନାଁରେ ହେଉଛି ସାଂଘାତିକ ଠକେଇ । ଏନେଇ ଛାତ୍ରଛାତ୍ରୀଙ୍କୁ ଆଗୁଆ ସର୍ତକ କରିଛି ୟୁଜିସି । ସମଗ୍ର ଦେଶରେ ସରକାରଙ୍କୁ ଭୂଆଁ ବୁଲାଇ ୨୪ଟି ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’ ବିଶ୍ୱବିଦ୍ୟାଳୟ ସେମାନଙ୍କର ବ୍ୟବସାୟ ଚଲାଇଥିବା ଆଜି ୟୁଜିସି ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ଏଥିସହ ଏହି ସମସ୍ତ ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’ ବିଶ୍ୱବିଦ୍ୟାଳୟଗୁଡ଼ିକର ତାଲିକା ମଧ୍ୟ ପ୍ରକାଶ କରିଛି ୟୁଜିସି। ଏଥିରେ ଓଡ଼ିଶାର ୨ଟି ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଉତ୍ତରପ୍ରଦେଶରେ ୮ଟି, ଦିଲ୍ଲୀରେ ୭ଟି, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର,, ଆନ୍ଧ୍ରପ୍ରଦେଶ ଓ ପୁଡ଼ୁଚେରିରେ ଗୋଟିଏ କରି ଜାଲି ବିଶ୍ୱବିଦ୍ୟାଳୟ ରହିଥିବା ଜାଣିବାକୁ ମିଳିଛି।  ସେହିଭଳି ପଶ୍ଚିମବଙ୍ଗରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଏଥିସହ ଏହି ସମସ୍ତ ଜାଲି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନାମ ନ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସାବଧାନ କରି ଦେଇଛି ୟୁଜିସି।

ଓଡ଼ିଶାର ରାଉରକେଲାରେ ନବଭାରତ ଶିକ୍ଷା ପରିଷଦ ଏବଂ ମୟୂରଭଞ୍ଜରେ ଥିବା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ନକଲି ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ୟୁଜିସି ଏକ ନୋଟିସ ଜାରି କରି କହିଛି, ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସୂଚିତ କରାଯାଉଛି କି ଏବେ ଦେଶରେ ବିଭିନ୍ନ ପ୍ରାନ୍ତରେ ୨୪ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଯେଉଁମାନେ ୟୁଜିସି ଦ୍ୱାରା ପଞ୍ଜିକୃତ ହୋଇନାହାନ୍ତି । ଏହି ବିଶ୍ୱବିଦ୍ୟାଳୟ ଗୁଡିକ ନକଲି ଓ ଏମାନଙ୍କର ଡିଗ୍ରି ଦେବାର କୌଣସି ଅଧିକାର ନାହିଁ ।