ସୁରୁଖୁରୁରେ ଚାଲିଛି ଯୁକ୍ତ ୨ ପରୀକ୍ଷା । କଡା ସୁରକ୍ଷା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ଯାଉଛି ପ୍ରଶ୍ନପତ୍ର, ସେପଟେ ଓଡିଆରେ କପି କରି ଧରାପଡିଲେ ୧୧ ପରୀକ୍ଷାର୍ଥୀ

221

କନକ ବ୍ୟୁରୋ : ଶାନ୍ତିଶୃଙ୍ଖଳା ସହ ଆରମ୍ଭ ହୋଇଛି ଯୁକ୍ତ୨ ଥିଓରି ପରୀକ୍ଷା। ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଏମ୍ଆଇଏଲ୍‌(ଓଡ଼ିଆ) ବିଷୟ ପରୀକ୍ଷା ଅନୁଷ୍ଠିତ ହୋଇଛି। ଏହି ବିଷୟରେ କପି କରି ୧୧ ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍‌(ଏମ୍‌ପି) ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାଶ କହିଛନ୍ତି। ନିର୍ଧାରିତ ସମୟ ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଏହାର ୪ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସକାଳ ୬ଟାରୁ ପରୀକ୍ଷା ପରିଚାଳନା ହବ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିଲା ଏବଂ ୯ଟା ୩୦ ସୁଦ୍ଧା ପହଞ୍ଚିଥିଲା। ପ୍ରତି ଗାଡ଼ିରେ ଜଣେ ଲେଖାଏ ପୁଲିସ ଅଧିକାରୀଙ୍କ ସମେତ ପରୀକ୍ଷା କେନ୍ଦ୍ର ଅବଜରଭର ରହିଥିଲେ। ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ପରିଷଦ ପକ୍ଷରୁ କଡ଼ା ସୁରକ୍ଷା, ବ୍ୟାପକ ଯାଞ୍ଚ, ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି।

ପ୍ରଥମ ଦିନରେ ରାଜ୍ୟର କୌଣସି ସ୍ଥାନରେ ପ୍ରଶ୍ନପତ୍ର ଲିକ୍‌ କିମ୍ବା ଭାଇରାଲ ହୋଇଥିବା ଖବର ମିଳି ନାହିଁ। ବିଜ୍ଞାନ ବିଭାଗରେ ପ୍ରାୟ ୯୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା‌ ସୂଚନା ମିଳିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମହର୍ଷି କଲେଜ ଅଫ୍‌ ନାଚୁରାଲ ଲ’, ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ଭୁବନେଶ୍ବରରେ ଥିବା କିଛି ପରୀକ୍ଷା କେନ୍ଦ୍ର ବୁଲି ଯାଞ୍ଚ କରିଥିଲେ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଗଠିତ ଫ୍ଲାଇ˚ ସ୍କ୍ବାଡ୍‌ ସମେତ ହବ୍‌ ଅବଜରଭର, ଜିଲ୍ଲା ପ୍ରଶାସନର ପ୍ରତିନିଧି, ଜିଲ୍ଲାସ୍ତରୀୟ ସ୍କ୍ବାଡ୍‌ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ସ୍କ୍ବାଡ୍‌ଗୁଡ଼ିକ ବିଭିନ୍ନ କେନ୍ଦ୍ରକୁ ଯାଇ ପରୀକ୍ଷାର ଅନୁଧ୍ୟାନ କରିଥିଲେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌, କ୍ୟାମେରା, ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ସ୍ମାର୍ଟ ଘଣ୍ଟା ପିନ୍ଧିବା ଉପରେ କଟକଣା ହୋଇଥିବାରୁ ବହୁ ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡ଼ିଛି।

ପରୀକ୍ଷାର ସୁପରିଚାଳନା ପାଇଁ ପରିଷଦର ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଯେଉଁଠାରେ ପରୀକ୍ଷା ସମ୍ପର୍କିତ ଅଭିଯୋଗ ଗ୍ରହଣ କରାଯିବା ସହ ସମସ୍ୟାଗୁଡ଼ିକର ସମାଧାନ ହେଉଛି। ଅଭିଯୋଗକାରୀ ପରୀକ୍ଷା କଣ୍ଟ୍ରୋଲ ରୁମ୍‌ର ନମ୍ବର-୦୬୭୪-୨୩୦୧୦୯୮, ୦୬୭୪-୨୩୦୩୮୦୩, ୦୬୭୪-୨୩୦୦୧୨୬, ଆସିଷ୍ଟାଣ୍ଟ ପରୀକ୍ଷା ନିୟନ୍ତ୍ରକଙ୍କ ନମ୍ବର-୯୪୩୭୨୩୦୩୪୪, ଉପ ପରୀକ୍ଷା ନିୟନ୍ତ୍ରକ(୧)-୦୬୭୪-୨୩୦୦୯୦୪, ୯୯୩୭୧୧୬୮୦୦, ଉପ ପରୀକ୍ଷା ନିୟନ୍ତ୍ରକ(୨)-୯୪୩୭୨୦୮୮୧୮, ପରୀକ୍ଷା ନିୟନ୍ତ୍ରକଙ୍କ ନମ୍ବର-୦୬୭୪-୨୩୦୦୯୦୭, ୨୩୦୦୯୧୪, ୯୪୩୭୧୪୪୧୨୪ ରେ ୨୪ ଘଣ୍ଟା ଅଭିଯୋଗ କରିପାରିବେ। ଅନ୍ୟପକ୍ଷରେ ଆଜିଠାରୁ କଳା ଓ ବାଣିଜ୍ୟ ବିଭାଗର ରେଗୁଲାର, ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନରେ ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟ ରହିଛି। ଏଥିସହ ଉଭୟ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷାର୍ଥୀଙ୍କ ଅଲଟରନେଟିଭ୍‌ ଇଂରାଜୀ ବିଷୟର ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ତାହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। କଳାରେ ୨ ଲକ୍ଷ ୨୦ ହଜାର ୪୩୭ଜଣ ଓ ବାଣିଜ୍ୟରେ ୨୫ ହଜାର ୭୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।