କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଆରମ୍ଭ, ସକାଳ ୧୦ଟାରୁ ଅପରାହ୍ନ ୧ଟା ଯାଏଁ ଗୋଟିଏ ସିଫ୍ଟରେ ପରୀକ୍ଷା ହେବ । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟରେ ମୋଟ ୩ଲକ୍ଷ ୮୪ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଗତବର୍ଷ ତୁଳନାରେ ୨୬ ହଜାର ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆଜିଠାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ, ମେ ପ୍ରଥମ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶିତ ହେବ ।

Advertisment

କପି ରୋକିବା ସହିତ ଶୃଙ୍ଖଳିତ ପରୀକ୍ଷା କରାଇବାକୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ପରୀକ୍ଷା ହେବାର ୩୦ମିନିଟ ପୂର୍ବରୁ ଛାତ୍ରଛାତ୍ରୀ ମାନେ ପରୀକ୍ଷାକେନ୍ଦ୍ରରେ ପହଁଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀ ମାନେ କେବଳ କଳା ବଲପଏଣ୍ଟ ପେନ ଏବଂ ଆଡ଼ମିଟ୍ କାର୍ଡ ନେଇ ୧୫ ମିନିଟ୍ ପୂର୍ବରୁ ପରୀକ୍ଷା ହଲ ମଧ୍ୟକୁ ପ୍ରବେଶ କରିବେ ।

ପରୀକ୍ଷାର ୧୦ ମିନିଟ୍ ପୂର୍ବରୁ ଉତର ଖାତା ଏବଂ ପାଞ୍ଚ ମିନିଟ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ । ଉତରଖାତା ଓ ପ୍ରଶ୍ନପତ୍ରର ସିରିଏଲ ନମ୍ବର ଓ ପେଜ ନମ୍ବର ଯାଞ୍ଚ କରି ଏଥିରେ କୌଣସି ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀ ମାନେ ଅତିରିକ୍ତ ଉତ୍ତରଖାତା ମାଗିପାରିବେ ନାହିଁ, ପରୀକ୍ଷା ସମୟରେ ପ୍ରଶ୍ନପତ୍ରରେ ରୋଲ ନମ୍ବର ବ୍ୟତୀତ ଅନ୍ୟ କିଛି ଲେଖିପାରିବେ ନାହିଁ । ଉତରଖାତାରେ ପ୍ରଶ୍ନପତ୍ରର କୋଡ଼, ରୋଲ ନମ୍ବର, ରେଜିଷ୍ଟ୍ରେସନ ନମ୍ବର ନିର୍ଭୁଲ ଭାବେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କପି ରୋକିବାକୁ ମଧ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସ୍କ୍ୱାର୍ଡର ବ୍ୟବସ୍ଥା କରାଯାଇଛି ।