କନକ ବ୍ୟୁରୋ: ଭୁବନେଶ୍ବର ଉପକଣ୍ଠ ଦେଇ ପ୍ରବାହିତ କୁଆଖାଇ ନଦୀରେ ପୁଣି ଥରେ ଅଘଟଣ ଘଟିଛି। ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବାଳହାର ନିକଟ କୁଆଖାଇରେ ଆଜି ୪ ଜଣ ଯୁବକ ଗାଧେଇଲା ବେଳେ ବୁଡ଼ି ଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨ ଜଣ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଛି।

Advertisment

ସୂଚନାଯୋଗ୍ୟ, ଗତ ମେ’ ମାସ ୨୭ ତାରିଖରେ ବାଲିଅନ୍ତା ଥାନା ବାଳକାଟୀ ଫାଣ୍ଡି ତଥା ଭୁବନେଶ୍ବର ଇନ୍ଦ୍ରପାଲ ନିକଟ କୁଆଖାଇ ନଦୀରେ ଅଘଟଣ ଘଟିଥିଲା। ଗାଧୋଇବାକୁ ଆସିଥିବାବେଳେ ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକ ମାନେ ଥିଲେ ତମାଣ୍ଡୋ ଅଂଚଳ ସ୍ମୃତି ସୌରଭ ପ୍ରଧାନ ଓ ଅନଗୁଳ ରେଙ୍ଗାଲି ଅଂଚଳର ସତ୍ୟଜିତ ଦାସ। ଅନ୍ୟ ସାଙ୍ଗମାନେ ଭୋଜିଭାତରେ ମସଗୁଲ ଥିବାବେଳେ ସ୍ମୃତି ଓ ସୌରଭ ଗାଧୋଇବାକୁ ନଦୀକୁ ଆସିଥିବାବେଳେ ଏହି ଅଘଟଣ ଘଟିଥିଲା। ସାଙ୍ଗମାନେ ଏହା ଜାଣିପାରି ବାଲିଅନ୍ତା ପୁଲିସକୁ ଖବର ଦେଇଥିଲେ। ପୁଲିସଠାରୁ ଖବରପାଇ ଅଗ୍ନିଶମ ବିଭାଗ ମୃତଦେହକୁ ଉଦ୍ଧାର ପରେ ଶବ ଦୁଇଟିକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ମେ’ ୧୬ ତାରିଖରେ ବାଲିଅନ୍ତା ଥାନା ନିକଟସ୍ଥ କୁଆଖାଇ ନଦୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ମଞ୍ଚେଶ୍ବର ଥାନା ଅଧୀନ ପାଣ୍ଡରା ଗ୍ରାମର ଅପର୍ତ୍ତି ମହାରଣା(୮୫)। ଅପର୍ତ୍ତି ମେ’ ୧୫ ତାରିଖ ସନ୍ଧ୍ୟାରେ ବାଲିଅନ୍ତା ସାପ୍ତାହିକ ହାଟରୁ ପରିବା ବ୍ୟାଗ ଧରି ନଈ ଭିତରେ ଚାଲିଚାଲି ଅପରପାର୍ଶ୍ବରେ ଥିବା ପାଣ୍ଡରା ଗ୍ରାମକୁ ଫେରୁଥିଲେ। ହେଲେ ନଈ ଭିତରେ ଥିବା ପାଣି ଧାରରେ ପଶି ଯିବା ବେଳେ ଭାସି ଯାଇଥିଲେ।