କନକ ବ୍ୟୁରୋ : ଏବେ କୌଣସି ଅଜଣା ସ୍ଥାନକୁ ଗଲେ ଆମେ ଗୁଗୁଲ ମ୍ୟାପର ସହାୟତା ନେଉଛୁ । କିନ୍ତୁ ବେଳେବେଳେ ଜିପିଏସ୍ ଭୁଲ ରାସ୍ତା ଦେଖାଇଥାଏ । ଆଉ ଜିପିଏସ୍ ଦର୍ଶାଉଥିବା ରାସ୍ତାରେ ଯାଇ ଆମେ ଭୁଲ ସ୍ଥାନରେ ପହଂଚିଯାଇଥାଉ । ଯାହାର ଅନୁଭୂତି ବି ଆମ ସମସ୍ତଙ୍କର ଅଛି । କିନ୍ତୁ ଭୁଲ ଜିପିଏସ ଯେ ଜୀବନ ନେଇଯିବ ତାହା କଳ୍ପନା ବାହାରେ । ଏଭଳି ଏକ ଦୁର୍ଘଟଣା ଘଟିଛି କେରଳରେ । ଜିପିଏସର ଭୁଲ ମାର୍ଗଦର୍ଶିକା ଯୋଗୁ ଦୁଇ ଜଣ ଯୁବ ଡାକ୍ତରଙ୍କର ଜୀବନ ଚାଲିଯାଇଛି ।

Advertisment

ସପିଂ କରିବା ପରେ ରବିବାର ରାତିରେ ୫ ଜଣ ଡାକ୍ତର ଏକ କାରରେ ଘରକୁ ଫେରୁଥିଲେ । ରାତି ପ୍ରାୟ ସାଢେ ୧୨ଟା ସମୟ । ଅନ୍ଧାର ଥିବା ବେଳେ ବର୍ଷା ଯୋଗୁ ରାସ୍ତାରେ ପାଣି ଜମିଯାଇଥିଲା । ସେମାନେ ଜିପିଏସ ଅନ କରି ଜିପିଏସ ଦର୍ଶାଉଥିବା ରାସ୍ତାରେ ଗାଡି ଚଳାଇଥିଲେ । କିଛି ବାଟ ଯିବା ପରେ କାର ରାସ୍ତା ପରିବର୍ତ୍ତେ ନଦୀରେ ପଡିଯାଇଥିଲା । କାର ଭିତରେ ଥିବା ୫ ଜଣ ଡାକ୍ତରଙ୍କ ମଧ୍ୟରୁ ୩ ଜଣ ବାହାରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଡାକ୍ତର ଅଦ୍ଭିତ ଏବଂ ଆଜମଲ ଅସିଫ୍ କାର ଭିତରୁ ବାହାରି ପାରିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । କେରଳ ଏର୍ଣ୍ଣାକୁଲମ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ୍ୟ ମୁଖରୁ ଫେରିଥିବା ଅନ୍ୟଡାକ୍ତର କାଳରାତିର କାହାଣୀ ପୁଲିସ ଆଗରେ କହିଛନ୍ତି ।

ତେବେ କେବଳ ସଡ଼କ ପଥ ନୁହେଁ ଭୁଲ୍ ଜିପିଏସ ସିଗନାଲ ଯୋଗୁ ଆକାଶପଥରେ ମଧ୍ୟ ବିମାନ ଗୁଡିକ ବାଟବଣା ହେଉଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ଇରାନ-ଇରାକ ଅଂଚଳରେ ଭୁଲ୍ ଜିପିଏସ ସିଗନାଲ ଦ୍ୱାରା ୨୦ଟି ବିମାନ ଅଲଗା ଦିଗରେ ଯାଇଥିଲେ । ହ୍ୟାକରମାନେ ନକଲି ଜିପିଏସ ସିଗ୍ନାଲ ଦେଇ ବିଭିନ୍ନ ଦେଶର ବିମାନକୁ ବାଟବଣା କରୁଛନ୍ତି । ସୋମବାର ଏକ ୭୭୭ବୋଇଂ ବିମାନ ବାଟବଣା ହୋଇ ବିପରୀତ ଦିଗରେ ଯାଇଥିବା ବେଳେ ବାଗଦାଦ ଏୟାର ଟ୍ରାଫିକ କଂଟ୍ରୋଲରଙ୍କ ସହାୟତାରେ ସଠିକ ଦିଗକୁ ଆସିଥିଲା । ଅତ୍ୟାଧୁନିକ ବିମାନଗୁଡିକ ନକଲି ଜିପିଏସକୁ ଧରିପାରୁଥିବା ବେଳେ ଅନେକ ବିମାନ ନକଲି ଜିପିଏସ ସିଗନାଲର ଶିକାର ହେଉଛନ୍ତି । ଆଉ ଏହି ନକଲି ଜିପିଏସ ସିଗନାଲ ମାଧ୍ୟମରେ ଆକାଶପଥରେ ବଡ଼ ଧରଣର ଦୁର୍ଘଟଣା ଘଟାଇବାର ମଧ୍ୟ ଆଶଙ୍କା ରହୁଛି । ଏହାଦ୍ୱାରା ଶହ ଶହ ବିମାନ ଯାତ୍ରୀଙ୍କ ଜୀବନ ମଧ୍ୟ ବିପଦରେ ପଡିପାରେ ।