କନକ ବ୍ୟୁରୋ: ଜଗାକୁ ଦେଖିବାକୁ ଦଣ୍ଡଯାତ୍ରା । ଚକାଆଖିର ଦର୍ଶନ ପାଇଁ ପାଦରେ ଚାଲିଚାଲି ଯାତ୍ରା । ଆଉ ରସିକନାଗର ଟିକେ ଝଲକ ପାଇବାକୁ ରାଜସ୍ଥାନରୁ ପୁରୀକୁ ଛୁଟି ଆସିଛନ୍ତି ଜଗନ୍ନାଥ ପ୍ରେମୀ ଦୁଇ ଭକ୍ତ ରାମ ସିଂ ଭଗତ ଓ ଜୟ ସିଂ ମିନା । କାଳିଆକୁ ଦେଖିବେ, ଚକାଆଖିକୁ ଚାହିଁବେ ଆଉ ବଡ ଦେଉଳରେ ଉଡୁଥିବା ବାନାକୁ ଦେଖି ହାତଟେକି କହିବେ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ... ବାସ୍ ମହାବାକୁଙ୍କୁ ମନଭରି ଦର୍ଶନ କରିବାକୁ ସୁଦୂର ରାଜସ୍ଥାନରୁ ଚାଲି ଚାଲି, ଦଣ୍ଡମାରି ଆସିଛନ୍ତି ପ୍ରଭୁଙ୍କ ପରମ ଭକ୍ତ ।
ତେବେ ବଡ ଠାକୁରଙ୍କ ଦର୍ଶନ ପାଇଁ ୨୦୧୯ ନଭେମ୍ବର ୩ ତାରିଖରେ ଜଗା ପାଇଂ ଯାତ୍ରା ଆରମ୍ଭ କରିଥିଲେ ଜୟରାମ । ଆଉ ଦୀର୍ଘ ୨୩୦୦ କିଲୋମିଟର ଅତିକ୍ରମ କରି ପୁରୀରେ ପହଞ୍ଚିଛନ୍ତି ଏମାନେ । ପାଖାପାଖି ବର୍ଷେ କାଳ ରାସ୍ତାରେ ଚାଲି ଏବଂ ଦଣ୍ଡଯାତ୍ରା କରି ଶ୍ରୀକ୍ଷେତ୍ରକୁ ଆସିଛନ୍ତି ଦୁଇ ଭକ୍ତ ।
ଜଗନ୍ନାଥ ଧାମ ପାଇଁ ଯାତ୍ରା ଆରମ୍ଭ କରିବା ବେଳେ ସବୁ ଠିକଠାକ ଥିଲା ମାତ୍ର ଛତିଶଗଡ ସୀମା ପହଞ୍ଚିବା ପରେ କରୋନାର କାୟା ସବୁଠି ଖେଳିଯାଇଥିଲା । ରାସ୍ତାରେ ଆସିବା ବେଳେ କରୋନା ପାଇଁ ସେମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି । ଏମିତିକି ସେମାନେଙ୍କୁ ଆକ୍ରମର ଶିକାର ହେବାକୁ ମଧ୍ୟ ପଡିଛି । ହେଲେ ସବୁ ବିପଦରୁ ପ୍ରଭୁ ଜଗନ୍ନାଥ ରକ୍ଷା କରିଥିବା ସେମାନେ କୁହନ୍ତି ।
ତେବେ ଜଗତର ନାଥ ଜଗନ୍ନାଥଙ୍କୁ ଦେଖିବାକୁ ଅନେକ ଆଶା ନେଇ ଆସିଥିବା ରାମ ସିଂ ଭଗତ ଓ ଜୟ ସିଂ ମିନାଙ୍କ ସବୁ ଆଶା ଆଶାରେ ରହିଗଲା । କାରଣ କରୋନା କଟକଣା ପାଇଁ ମନ୍ଦିର ବନ୍ଦ ଥିବାରୁ କାଳିଆ ଦର୍ଶନରୁ ବଞ୍ଚିତ ଏମାନେ । ତେଣୁ ପତିତପାବନ ଦର୍ଶନ କରି ମନକୁ ବୁଝାଇ ପୁଣି ଫେରିଯିବେ ରସିକନାଗର ରାଜସ୍ଥାନୀ ଭକ୍ତ ।