ହଟିଲା ସସପେନ୍ସ । ତାରକିଶୋର ପସାଦ ହେବେ ବିହାରର ଉପ-ମୁଖ୍ୟମନ୍ତ୍ରୀ । ନିତୀଶ କୁମାରଙ୍କ ସହ ନେବେ ଶପଥ

153

କନକ ବ୍ୟୁରୋ : ବିହାରରେ ନୂଆ ଉପମୁଖ୍ୟମନ୍ତ୍ରୀ  ପଦକୁ ନେଇ ଚାଲିଥିବା ବିବାଦର ଅନ୍ତ ଘଟିଛି । ବିଜେପିରୁ ୪ ଥର ବିଧାୟକ ତଥା ସୀମାଞ୍ଚଳର ଜନପ୍ରିୟ ନେତା ତାରକିଶୋର ପ୍ରସାଦ ହେବେ ନୂଆ ଉପ-ମୁଖ୍ୟମନ୍ତ୍ରୀ । ଏନେଇ ତାରକିଶୋର ପ୍ରସାଦ ନିଜେ କହିଛନ୍ତି କି ଉପ-ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ନାମରେ ସହମତି ହୋଇଛି । ସେ ସୋମବାର ଦିନ ନିତୀଶ କୁମାରଙ୍କ ସହ ଶପଥ ନେବେ । ସେ ଆହୁରି କହିଛନ୍ତି କି ଶପଥ ନେବା ପରେ ସେ ବିହାରକୁ ଆଗକୁ ବଢାଇବାର କାମ ଆରମ୍ଭ କରିବେ ।

ବିହାରରେ ଉପ-ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ୪୮ ଘଂଟା ଧରି ବାଦ ବିବାଦ ଲାଗି ରହିଥିଲା । ହେଲେ ଏହି ବିବାଦ ମଧ୍ୟରେ ଯାହାର ନାମ ଆଗରେ ଥିଲା ସେ ଥିଲେ ତାରକିଶୋର ପ୍ରସାଦ । ପୂର୍ବ ମନ୍ତ୍ରୀ ମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ଥିବା ବିଜେପି ନେତା ସୁଶିଲ ମୋଦି ବୁଧବାର ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରୁ କି ସ୍ପଷ୍ଟ ହୋଇଥିଲା କି ଏଥର ସୁଶିଲ ମୋଦି ଉପ-ମୁଖ୍ୟମନ୍ତ୍ରୀ ହେଉ ନାହାନ୍ତି । ଏପଟେ ତାରକିଶୋରଙ୍କ ବୟାନ ପରେ ଏବେ ସ୍ପଷ୍ଟ ହୋଇଛି କି ସେ ହିଁ ଉପମୁଖ୍ୟମନ୍ତ୍ରୀ ହେବେ ।

ଅନ୍ୟପଟେ ବିହାର ମନ୍ତ୍ରୀ ମଣ୍ଡଳରେ ଏଥର ଏକ ନୂଆ ରୂପ ଦେଖିବାକୁ ମିଳିବ । ନିତୀଶ ମୁଖ୍ୟମନ୍ତ୍ରୀ ହେବା ସହ ତାଙ୍କର ସହଯୋଗୀ ଭାବେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ଏହି ୨ ଉପମୁଖ୍ୟମନ୍ତ୍ରୀ ପଦରେ ବିଜେପି ବିଧାୟକ ରହିବେ । ତାରକିଶୋର ପ୍ରସାଦଙ୍କ ସହ ଜଣେ ମହିଳା ଉପ-ମୁଖ୍ୟମନ୍ତ୍ରୀଙ୍କ ନାମ ବି ସ୍ପଷ୍ଟ ହୋଇଛି । ସେ ହେଉଛନ୍ତି ବିଜେପିର ବିଧାୟୀକା ରେଣୁ ଦେବୀ । ରେଣୁ ଦେବୀ  ବିହାରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ । ସେ ଏଥରକୁ ମିଶାଇ ୫ ଥର ବିଧାୟୀକା ଭାବେ ବିଜୟୀ ହୋଇଛନ୍ତି ।