୪ ରାଜ୍ୟରେ ଟିକାର ଡ୍ରାଏ ରନ ଆରମ୍ଭ : ଆନ୍ଧ୍ର, ଆସାମ ,ଗୁଜରାଟ ଓ ପଞ୍ଜାବର ୮ଟି ଜିଲ୍ଲାରେ ଦୁଇଦିନ ପାଇଁ ବ୍ୟବସ୍ଥା

ଆନୁଷଙ୍ଗିକ ଭିତିଭୂମିର କରାଯିବ ସମୀକ୍ଷା

215

କନକ ବ୍ୟୁରୋ : ଜାନୁଆରୀରୁ ଦେଶରେ କରୋନା ଟୀକା ଦେବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆଉ ଟିକା ପ୍ରିକ୍ରିୟାର ପ୍ରାକ ଅଭ୍ୟାସ ସ୍ୱରୂପ ଆନ୍ଧ୍ର ସମେତ ଆସାମ, ଗୁଜରାଟ ଓ ପଞ୍ଜାବରେ ଏହି ଡ୍ରାଏ ରନ ବ୍ୟବସ୍ଥା କରାଯିବ । ଆଜି ଓ ଆସନ୍ତାକାଲି ଏହି ଡ୍ରାଏ ରନ ପ୍ରକ୍ରିୟାରେ ବିଭିନ୍ନ କ୍ଷେତ୍ରରେ ସତର୍କତା ଅବଲମ୍ବନ ସହ ଆନୁଷଙ୍ଗିକ ଭିତିଭୂମି ବ୍ୟବସ୍ଥାର ସମୀକ୍ଷା ଆରମ୍ଭ ହୋଇଛି । ।

କେବଳ ଲକ୍ଷଦ୍ୱୀପକୁ ବାଦଦେଲେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକରେ ଏ ନେଇ ପ୍ରଶିକ୍ଷଣ ଦିଆଯାଇଛି । ଆଜି ଓ ଆସନ୍ତାକାଲି ଦେଶରେ କିଭଳି ହେବ ସମୁହ ଟିକାକରଣ, ତାର ରିହାର୍ସାଲ ଆରମ୍ଭ ହୋଇଛି । ପ୍ରତ୍ୟେକ ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଡମି ଟିକାକରଣ । ଭାରତ ଭଳି ଏକ ବିଶାଳ ଭୂ-ଖଣ୍ଡ ଓ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶରେ କୋଭିଡ ଟିକା ସମସ୍ତଙ୍କ ପାଖରେ ଓ ସୁରକ୍ଷିତ ଭାବରେ କିଭଳି ପହଂଚି ପାରିବ ତାକୁ ନେଇ ବଡ କସରତର ଆବଶ୍ୟକତା ରହିଛି ।

କୋଭିଡ ଟିକାକରଣ ପାଇଁ ସାରାଦେଶରେ ୭ ହଜାରରୁ ଅଧିକ ଜିଲ୍ଲାସ୍ତରୀୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ତେଣୁ ପ୍ରକୃତ ଟିକାକରଣ ପୂର୍ବରୁ ଦିଆଯାଇଥିବା ପ୍ରଶିକ୍ଷଣ ଅନୁସାରେ କିଭଳି କାମ ହେଉଛି, ତାକୁ ଅନୁଧ୍ୟାନ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଅର୍ଥାତ କୋଭିଡ ବିରୋଧୀ ସମୁହ ଟିକାକରଣର ଏହା ପୂର୍ବ ପ୍ରସ୍ତୁତି ।