ଜଣେ ଝିଅ ପାଇଁ କଲେଜ ଏକ ନମ୍ବର । ଯୁକ୍ତ ଦୁଇ ବାଣିଜ୍ୟ କଟ୍ ଅଫ୍ ତାଲିକାର ଶୀର୍ଷରେ ଗଂଜାମ ଗୋପଳପୁର କଲେଜ

363

କନକ ବ୍ୟୁରୋ : ଯୁକ୍ତ ଦୁଇ ବାଣିଜ୍ୟରେ ସର୍ବାଧିକ କଟ୍ ଅଫ୍ ରହିଛି ଗଂଜାମ ଜିଲ୍ଲାର ଗୋପାଳପୁର କଲେଜ୍ । ଏଠାରେ କଟ୍ ଅଫ୍ ଯାଇଛି ୮୦.୬ ପ୍ରତିଶତ । ପ୍ରଥମ କଟ୍ ଅଫରେ ଜଣେ ମାତ୍ର ଛାତ୍ରୀ ଏହି କଲେଜରେ ପଢିବାକୁ ଆବେଦନ କରିଛନ୍ତି । ଫଳରେ ଜଣେ ପିଲା ପାଇଁ ସାରା ରାଜ୍ୟରେ ଗୋପାଳପୁର କଲେଜ୍ ହୋଇଛି ନମ୍ବର ୱାନ ।

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଯୁକ୍ତ ଦୁଇ ବାଣିଜ୍ୟର କଟ୍ ଅଫ୍ ତାଲିକାରେ ଶୀର୍ଷରେ ରହିଛି ଗଂଜାମ ଗୋପାଳପୁରର ଏହି କଲେଜ୍ । ବାଣିଜ୍ୟରେ ଏଠାରେ କଟ୍ ଅଫ୍ ମାର୍କ ରହିଛି ୮୦ ଦଶମିକ ୬ ପ୍ରତିଶତ । ଯାହା ସାରା ରାଜ୍ୟରେ ସର୍ବାଧିକ । ପ୍ରଥମଥର ପାଇଁ ଗୋଟିଏ ଅଜଣା ଅଶୁଣା କଲେଜ୍ , ସାରା ରାଜ୍ୟରେ ରାତାରାତି ଚର୍ଚାର ବିଷୟ ପାଲଟିଛି । ରାଜ୍ୟରେ ଅନେକ ବଡ ବଡ କଲେଜ୍ ରହିଥିବା ବେଳେ ଗୋପାଳପୁରର ଏହି କଲେଜ୍ ବାଣିଜ୍ୟରେ ସର୍ବାଧିକ କଟ୍ ଅଫ୍ ପାଇଛି ।

ଏ. ଦୀପିକା । ଗୋପାଳପୁରର ଏହି ଛାତ୍ରୀ ମାଟ୍ରିକରେ ୮୦ ଦଶମିକ ୬ ପ୍ରତିଶତ ମାର୍କ ରଖି ଯୁକ୍ତ ଦୁଇ ବାଣିଜ୍ୟରେ ପଢିବାକୁ ଆଗ୍ରହ ରଖିଛନ୍ତି । ଦୀପିକା ମୋଟ୍ ୫ଟି କଲେଜରେ ଆବେଦନ କରିଥିବା ବେଳେ , ପ୍ରଥମ ପସନ୍ଦରେ ରଖିଛନ୍ତି ଗୋପାଳପୁର କଲେଜକୁ । ଚଳିତବର୍ଷ ବିଜ୍ଞାନରେ ଯୁକ୍ତ ଦୁଇ କଟ୍ ଅଫ ତାଲିକାରେ କଟକର ରେଭେନ୍ସା ଆଗରେ ଥିବା ବେଳେ କଳାରେ ପ୍ରଥମ ସ୍ଥାନରେ ରହିଛି ବିଜେବି । ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ ମାର୍କ ଆସନ୍ତା ଜୁଲାଇ ୧୨ ତାରିଖରେ ପ୍ରକାଶ ପାଇବ ।