କେମିତି କୋଟିପତି ବନିଲେ ଅଙ୍ଗନୱାଡି ଦିଦି ? ଗିରଫ ପରେ ଖୋଲିଲା ଦିଦିଙ୍କ ଛତୁଆ ଦୁର୍ନୀତିର ଗୁମର ।

2,046

କନକ ବ୍ୟୁରୋ: କେମିତି କୋଟିପତି ବନନ୍ତି ଅଙ୍ଗନୱାଡି ଦିଦି? ଗିରଫ ହେବା ପରେ ଖୋଲିଲା ଦିଦିଙ୍କ ଛତୁଆ ଦୁର୍ନୀତି ଗୁମର । କୁନି କୁନି ପିଲାଙ୍କ ପୁଷ୍ଟିକର ଖାଦ୍ୟରେ ମଧ୍ୟ ଦୁର୍ନୀତି କରି କୋଟିପତି ବନୁଛନ୍ତି ଅଙ୍ଗନଓାଡି ଦିଦି । ବ୍ରହ୍ମପୁର ଅଙ୍ଗନଓାଡି ଦିଦି ନମିତା ଦଳେଇ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଦୁର୍ନୀତିର ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସରକାର ଛତୁଆ ପ୍ରସ୍ତୁତିକାରୀ ସଂସ୍ଥାଙ୍କୁ ବିଶେଷ କିଛି ଲାଭାଂଶ ଦେଉନଥିବା ବେଳେ ପିଲାଙ୍କ ଖାଦ୍ୟରେ ଅପମିଶ୍ରଣ କରି ପକେଟ୍ ଗରମ କରୁଛି ସଂପୃକ୍ତ ସଂସ୍ଥା ।

୧ କ୍ୱିଂଟାଲ ଛତୁଆରେ ୬୦ କେ.ଜି ଗହମ, ୧୫ କେ.ଜି ବୁଟ, ୧୦ କେ.ଜି ବାଦାମ ଓ ୧୫ କେ.ଜି ଚିନି ମିଶାଇବାର ନିୟମ ରହିଛି । ହେଲେ ସେଥିରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଅଧିକାଂଶ ସ୍ଥାନରେ କେବଳ କାଗଜ କଲମରେ ଛତୁଆ ବଂଟନ କରି ମାଲାମାଲ ହେଉଛନ୍ତି ଅଙ୍ଗନୱାଡି ଦିଦି । ଆଉ ଯଦି ପ୍ରତ୍ୟେକ୍ଷ କି ପରୋକ୍ଷ ଭାବରେ ଆଙ୍ଗନଓାଡି ଦିଦିମାନେ ଯଦି ଛତୁଆ ପ୍ରସ୍ତୁତ କେନ୍ଦ୍ର ପରିଚାଳନା କରନ୍ତି, ତେବେ ବ୍ରହ୍ମପୁରୁର ଆଙ୍ଗନଓାଡି ଦିଦିଙ୍କ ପରି ଅନ୍ୟମାନେ ମଧ୍ୟ କୋଟିପତି ହେବା କିଛି ଅସମ୍ଭବ ନୁହଁ ।

ନମିତା ଦଳେଇଙ୍କ ବ୍ରହ୍ମପୁର ଓ ଭୁବନେଶ୍ୱରରେ ୫ଟି କୋଠା ସମେତ ୨ କୋଟିରୁ ଅଧିକ ଟଙ୍କାର ସମ୍ପତି ଠାବ କରିଛି ଭିଜିଲାନ୍ସ । ତାଙ୍କ ବ୍ରହ୍ମପୁର ସ୍ଥିତ ଲକ୍ଷ୍ମୀ ନୃସିଂହ ସାହି ବାସଭବନରେ ଗୋଟିଏ ଛତୁଆ ପ୍ରସ୍ତୁତକାରୀ ୟୁନିଟ ଥିବା ବେଳେ ତାଙ୍କ ସମ୍ପର୍କୀୟମାନଙ୍କ ନାଁରେ ଏସଏଚଜିର ସଦସ୍ୟତା ରହିଛି । ତେବେ ସେଠାରେ ନିମ୍ନମାନର ଛତୁଆ ପ୍ରସ୍ତୁତ ହେବା ଅଭିଯୋଗ ସହ ତାହାର ଉଚିତ୍ ଦସ୍ତାବିଜ ନଥିବାରୁ ଛତୁଆ ପ୍ରସ୍ତତ କେନ୍ଦ୍ରକୁ ସିଜ କରିଛି ଭିଜିଲାନ୍ସ । ନମିତା ଦଳେଇଙ୍କ ପରି ରାଜ୍ୟରେ ଏମିତି ଅନେକ ଅଙ୍ଗନଓାଡି ଦିଦି କିମ୍ବା ସୁପରଭାଇଜର ଓ ସିଡିପିଓମାନେ ପ୍ରଛଦ ପଟରେ ଏମିତି ଛତୁଆ ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି ।