ଏଲପିଜି ଟାଙ୍କି ଫାଟି ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା । ୨ ଗୁରୁତର ଆହତଙ୍କୁ ପଠାଗଲା ଏସସିବି

239

କନକ ବ୍ୟୁରୋ : ରାଜଧାନୀରେ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା । ୨ ଗୁରୁତରଙ୍କୁ ଏସସିବି ପଠାଯାଇଥିବା ନେଇ ମିଳିଛି ସୂଚନା । ତେବେ ବିସ୍ଫୋରଣ ମାତ୍ରା ଏତେ ତୀବ୍ର ଥିଲା ଯେ, ଭୟଙ୍କର ଶଦ୍ଦ ହୋଇଥିବା ବୋଲି ସ୍ଥାନୀୟ ଅଂଚଳର ଲୋକ ତଥା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।

ତେବେ ଘଟଣା ସ୍ଥଳକୁ ସିଲ କରି ରଖିଛି କମିଶନରେଟ୍ ପୋଲିସ । ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ଟାଙ୍କିରେ ନିଆଁ ଲାଗିବା ପରେ ଜୋରଦାର ବିସ୍ଫୋରଣ ହୋଇଛି । ନିଆଁ ଲାଗିବା ପରେ ପ୍ରଚଣ୍ଡ ଶବ୍ଦ କରି ଆକାଶକୁ ଉଡିଯାଇଥିଲା ଟାଙ୍କି । ଏଥିରେ ତେଲ ଟାଙ୍କି ତଥା ଏହାର ଆଖପାଖ ଅଂଚଳ କ୍ଷତିଗ୍ରସ୍ତ ହୋଇଛି ।

ନିଆଁ ଏତେ ଭୟଙ୍କର ରହିଥିଲା ଯେ ପ୍ରାୟ ୫ କିଲୋମିଟର ଦୂରରୁ ଆକାଶକୁ ନିଆଁ ଉଠୁଥିବାର ଦେଖିବାକୁ ମିଳିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ନିଆଁ କେମିତି ଲାଗିଲା ଜଣାପଡିନାହିଁ । କିନ୍ତୁ ହଠାତ୍ ଜୋରଦାର ବିସ୍ଫୋରଣରେ ଥରି ଉଠିଥିଲା ସାରା ଅଂଚଳ । ପ୍ରାୟ ୩ କିଲୋମିଟର ଦୂରତା  ଯାଏଁ ଏହି ବିସ୍ଫୋରଣର ଝଟକା ଅନୁଭବ ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରେ  ନିଜେ ପୋଲିସ କମିଶନର ଉପସ୍ଥିତ ଅଛନ୍ତି ।