ପୁଣି ମରିଗଲା ମାନବିକତା । ଆନ୍ଧ୍ରରୁ ଆସିଲା ଅମାନବୀୟ ଘଟଣା, ଜେସିବିରେ ବୁହା ହେଲା କରୋନାରେ ମୃତ ବ୍ୟକ୍ତିଙ୍କ ଶବ ।

2,496

କନକ ବ୍ୟୁରୋ : କରୋନା ମାରିଦେଲା ମଣିଷପଣିଆ । ଜେସିବିରେ ବୁହା ହେଲା କରୋନାରେ ମୃତ ବ୍ୟକ୍ତିଙ୍କ ଶବ । ଏହା ଏପରି ଏକ କାହାଣୀ ଯାହା ମଣିଷସମାଜର ମାନବିକତା ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାରା ବିଶ୍ୱରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଆସିଛି ଅମାନବିକତାର ଏକ ଲଜ୍ଜାଜନକ ଘଟଣା ।

କରୋନା ଭାଇରସ କବଳରେ ଆସି ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ପରେ, ସେମାନଙ୍କ ଶବକୁ ଜେସିବି ମେସିନ ଜରିଆରେ ଶବଦାହ ଗୃହକୁ ନିଆଯାଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ନକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।
ଏହି ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡି ଦୁଃଖପ୍ରକାଶ କରିବା ସହ ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ବେଆଇନ୍ ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡି ଟ୍ୱିଟରରେ ଲେଖିଛନ୍ତି, ଏବେ ମାନବିକତା ଦେଖାଇବାର ସମୟ । କିନ୍ତୁ ଯେଉଁଭଳି ଘଟଣା ଘଟିଛି, ତାହା ହୃଦୟକୁ ଗଭୀର ଆଘାତ ପହଂଚାଇଛି । ଏଭଳି ଘଟଣା ଆଉ କେଉଁଠି ବି ନହେବା ଦରକାର । ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦୁଇ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।