କୃଷି ଆଇନ ପ୍ରତ୍ୟାହାର ଦାବିରେ ଆକ୍ସନମୋଡରେ କଂଗ୍ରେସ । ରାଲି ପାଇଁ ଅନୁମତି ନମିଳିବା ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ରାହୁଲ । ପ୍ରିୟଙ୍କାଙ୍କୁ ଉଠାଇନେଲା ପୋଲିସ ।

66

କନକ ବ୍ୟୁରୋ : ଆଜିକୁ ଗୋଟିଏ ମାସ ହେବ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଲକ୍ଷ ଲକ୍ଷ କୃଷକ ଧାରଣାରେ ବସିଛନ୍ତି । ଏହାକୁ ସମର୍ଥନ କରି ଦେଶର ବିଭିନ୍ନ ରାଜନୈତିକ ଦଳ ମାନେ ବି କେନ୍ଦ୍ରସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି କଂଗ୍ରେସ ପକ୍ଷରୁ କୃଷି ଆଇନକୁ ବିରୋଧ କରି ଏକ ରାଲିର ଆୟୋଜନ କରାଯାଇଥିଲା । ହେଲେ ଏହି ରାଲିକୁ ଅନୁମତି ନମିଳିବା ସହ ଦିଲ୍ଲୀରେ କଂଗ୍ରେସ ଭବନ ଅଞ୍ଚଳରେ ପୋଲିସ ୧୪୪ ଧାରା ଜାରି କରିଥିଲା । ଏହା ସହ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିବା ସହିତ କରୋନା କଟକଣାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କିଛି ବରିଷ୍ଠ କଂଗ୍ରେସ ନେତାଙ୍କୁ ଗିରଫ୍ କରି ନିଜ ହେପାଜତକୁ ନେଇଛି ।

ଅନ୍ୟପଟେ ପୋଲିସ ରାଲି ଉପରେ କଟକଣା ଲଗାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ୩ ଜଣ ନେତା ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଶ୍ରୀ ଗାନ୍ଧୀ ୩ ଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁରୋଧ କରିବା ସହ ୨ କୋଟି କୃଷକଙ୍କ ହସ୍ତାକ୍ଷର ଥିବା ଏକ ଦାବିପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ଏହା ସହ ସେ ରାଷ୍ଟ୍ରପତିଙ୍କ ନିକଟରୁ ଫେରିବା ବେଳେ ଗଣମାଧ୍ୟମକୁ କହିଛନ୍ତି କି କୌଣସି ପରିସ୍ଥିତିରେ ସରକାର ଏଭଳି କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ପଡିବ ।

କହିରଖୁ କି ଏହା ପୂର୍ବରୁ ବି ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ୫ ଜଣ ନେତା ରାଷ୍ଟ୍ରପତିଙ୍କୁ ଭେଟି କୃଷି ଆଇନ ପ୍ରତ୍ୟାହାର ଦାବି କରିଥିଲେ । ଅନ୍ୟପଟେ କୃଷକ ମାନେ ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି । ଏନେଇ କେନ୍ଦ୍ରସରକାର ଦ୍ୱିତୀୟ ଥର ପାଇଁ ବି ଆନ୍ଦୋଳନରତ କୃଷକଙ୍କ ନିକଟକୁ ଆଇନ ବାବଦରେ ଆଲୋଚନା କରିବାକୁ ଚିଠି ଲେଖିଥିଲେ । ହେଲେ କୃଷକ ସଂଗଠନର ନେତା ମାନେ ଏନେଇ ବିଚାର ବିମର୍ଷ କରିବା ପରେ କେବଳ ଆଇନ ପ୍ରତ୍ୟାହାର ଉପରେ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ।