ସାପ କାମୁଡାରେ ଆଖିବୁଜିଲା ମାଆ, ଅଜଣା ରୋଗରେ ଆରପାରିକୁ ଚାଲିଗଲେ ବାପା । ଅନାଥ ହୋଇଗଲେ ଦୁଇ ଶିଶୁ ।

122

କନକ ବ୍ୟୁରୋ: ଜୀବନର କଅଁଳ ସୂର୍ଯ୍ୟୋଦୟକୁ ଢାଙ୍କିଦେଇଛି ଦୁଃଖର କଳାହାଣ୍ଡିଆ ମେଘ । ଜୀବନ ଜିଇଁବା ଆଗରୁ ଯନ୍ତ୍ରଣା ଦେଇଯାଇଛି ସମୟ । ଅସମୟରେ ବାପା ମା’ ଆରପାରିକୁ ବାହୁଡିଯିବା ପରେ କେମିତି ଅଛନ୍ତି ଏହି ଦୁଇ କୁନି ପିଲା । ଦୁଇ ବର୍ଷର ସାନ ଭାଇ ଅଝଟ ହେଲେ ତାକୁ ବୁଝାଇଦେଉଛି ୪ ବର୍ଷର ଭଉଣୀ । ଗୋଟିଏ କଦଳୀକୁ ଥରେ ଭାଇ ମୁହଁରେ ଦେଲେ ଥରେ ନିଜେ ଖାଉଛି ।
ଏହି ନୀରିହ ନିଷ୍ପାପ କଅଁଳ କଢିଙ୍କ ଉପରେ କଷ୍ଟର କଷଣ ଅଜାଡି ଦେଇଛି ବିଧାତା । ଦୁନିଆ କଣ ଦେଖିବା, ଆଉ ଜାଣିବା ଆଗରୁ ଏମାନେ ଅନାଥ ହୋଇଯାଇଛନ୍ତି । ଏମାନଙ୍କୁ ଆଗକୁ ନେବା ପାଇଁ କିଏ ସାହା ହେବ, ନା ଏହି ଝାଟିମାଟିର କୁଡିଆ ଭିତରେ ଦୁଇ ଅନାଥ ଶିଶୁଙ୍କର ଭବିଷ୍ୟତ ସବୁଦିନ ପାଇଁ ଅନ୍ଧାର ଭିତରକୁ ଠେଲିହୋଇଯିବ ?

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ପଣ୍ଡରିପଥର ଗାଁର ଏହି ଦୁଇ କୁନି ଶିଶୁଙ୍କ କାହାଣୀ ଶୁଣିଲେ, ଆପଣଙ୍କ ଆଖି ବି ଓଦା ହୋଇଯିବ । ବାହାରକୁ କାମ କରିବାକୁ ଯାଇ ସାପ କାମୁଡାରେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଜଣା ରୋଗରେ ପଡି ବାପା ବି ଆରପାରିକୁ ଚାଲିଗଲେ । କିନ୍ତୁ ଏଇ କୁନି ପିଲାଙ୍କ ମନ କେମିତି ମାନିବ…ସେଥିପାଇଁ ତ ବାପା ମା’ଙ୍କ ଫଟୋକୁ ନୀରିହ ଆଖିରେ ଦେଖି ତାଙ୍କ ଫେରିବା ବାଟକୁ ଚାହିଁରହିଛନ୍ତି ।

ପଡୋଶୀ ଏବଂ ସମ୍ପର୍କୀୟ ଦୁଇ ଛୁଆଙ୍କର ଭଲମନ୍ଦ ବୁଝୁଥିବା ବେଳେ, ସେମାନଙ୍କର ଆର୍ଥିକ ସ୍ଥିତି ମଧ୍ୟ ଭଲନାହିଁ । କୁଲି ମଜୁରି କରି ନିଜେ ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ଏହି ନୀରିହ ଶିଶୁଙ୍କର ଭବିଷ୍ୟତର ଚିନ୍ତା, ସେମାନଙ୍କୁ ବ୍ୟଥିତ କରିଛି । ତେବେ ଏସମ୍ପର୍କରେ ବାମରା ଏବିଡିଓ ଜାଣିବା ପରେ, ଅନାଥ ଦୁଇ ଶିଶୁଙ୍କର ସମସ୍ତ ସୁବିଧା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।