କାମ ଦେବାକୁ କହି ମହିଳାଙ୍କୁ ସମ୍ବଲପୁରରୁ ଉତ୍ତରପ୍ରଦେଶ ନେଇଗଲା ଦଲାଲ । ବାହାରେ ବନ୍ଦୀ ମା’, ଘରେ କାନ୍ଦୁଛନ୍ତି ଛୁଆ । ସ୍ତ୍ରୀକୁ ଫେରାଇ ଆଣିବା ପାଇଁ ସ୍ୱାମୀ କରୁଛନ୍ତି ଆକୁଳ ନିବେଦନ ।

577

କନକ ବ୍ୟୁରୋ: ଏ କୁନି ପାଦ ଥକିପଡୁନି, କି ଏ ଆଖିରୁ ଲୁହ ବି ଶୁଖୁନି । ଲୁହ ଶୁଖିବା ବା କେମିତି, ଦୀର୍ଘ ୧ ମାସରୁ ଅଧିକ ସମୟ ହେଲାଣି ସ୍ୱାମୀ ସ୍ତ୍ରୀକୁ ଖୋଜୁଛି, ଆଉ ଏ କୁନି ପିଲାମାନେ ମାର ଫେରିବା ବାଟକୁ ଚାହିଁରହିଛନ୍ତି । ମା କଉଠି ଅଛି, କେମିତି ଅଛି, ସେମାନେ କିଛି ବି ଜାଣିନାହାନ୍ତି ।

କରୋନା ଦିନେ ଏମିତି ଯେ କଷ୍ଟ ଦେବ, ତାହା କେବେ ସ୍ୱପ୍ନରେ ବି ଭାବିନଥିଲେ ସୁଶୀଲ । ଅଟୋଚଳାଇ ଯାହା ଦୁଇପଇସା ରୋଜଗାର ହେଉଥିଲା, ସେଥିରେ ବେଶ୍ ହସଖୁସିରେ ଚଳିଯାଉଥିଲା ସମ୍ବଲପୁରର ଅଟୋଚାଳକ ସୁଶୀଲ ବଳବାହାଦୂରଙ୍କ ପରିବାର । କିନ୍ତୁ ଲକଡାଉନ୍ ପରେ ଅଟୋ ବନ୍ଦ ହୋଇଯିବାରୁ, ସୁଶୀଲଙ୍କ ରୋଜଗାର ବି ବନ୍ଦ ହୋଇଗଲା । ପରିବାର ଚଳିଥାନ୍ତା ବା କେମିତି ? ଆଉ ସେଇଥିପାଇଁ ସୁଶୀଲଙ୍କ ସ୍ତ୍ରୀ ଅନୁପମା ବି କାମ କରି ଦୁଇ ପଇସା ରୋଜଗାର କରିବାକୁ ଚିନ୍ତା କଲେ । ଆଉ ସୁଶୀଲ, ଅନୁପମାଙ୍କ ଏହି ଦୁଃଖ ସମୟର ଫାଇଦା ଉଠାଇ ଏକ ଫେରିବାଲା ଅନୁପମାଙ୍କୁ କାମ ଯୋଗାଇଦେବା ବାହାନାରେ ସମ୍ବଲପୁରରୁ ଉତରପ୍ରଦେଶ ନେଇଯାଇଥିଲେ । କିନ୍ତୁ ସେଠାରେ କାମ ଦେବା ବାହାନାରେ ଅନୁପମାଙ୍କୁ ବନ୍ଧକ ରଖାଯାଇଥିବା ସୁଶୀଲ ଅଭିଯୋଗ କରିଛନ୍ତି ।

ହଠାତ ଦିନେ ସୁଶୀଲଙ୍କୁ ଫୋନ୍ ଆସେ । ଫୋନ ସେପଟୁ ତାଙ୍କ ସ୍ତ୍ରୀ କୁହନ୍ତି, ମୋତେ ଏଠୁ ନେଇଯାଅ । ମୁଁ ଏବେ ଉତ୍ତରପ୍ରଦେଶର ମୁରାଦାବାଦର ସମ୍ବଲ ନାମକ ଏକ ଗାଁରେ ଅଛି । ମୋତେ ଏଇଠି କିଛି ଲୋକ ବନ୍ଦୀ କରି ରଖିଛନ୍ତି । ଘରୁ ବାହାରକୁ ବାହାରିଲେ ମୋତେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ମୋତେ ଏଇଠି ଶାରୀରିକ ଆଉ ମାନସିକ ନିର୍ଯ୍ୟାତନା ବି ଦେଉଛନ୍ତି । ମୋତେ ଏଇଠୁ ଜଲଦି ନେଇଯାଅ ।

ସ୍ତ୍ରୀଙ୍କଠୁ ଏହା ଶୁଣିବା ପରେ ସଙ୍ଗେ ସଙ୍ଗେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ସୁଶୀଲ । କିନ୍ତୁ ପୋଲିସ ନା କିଛି ଶୁଣୁଛି ନା କିଛି ସାହାଯ୍ୟ କରୁଛି । ନିରାଶ ହେବା ପରେ ଶେଷରେ ସମ୍ବଲପୁର ଏସପିଙ୍କୁ ଭେଟି ସ୍ତ୍ରୀଙ୍କୁ ଫେରାଇଆଣିବାକୁ ସାହାଯ୍ୟ ମାଗିଛନ୍ତି ସୁଶୀଲ । ପାଖାପାଖି ୪୦ଦିନ ହେବ ଅନୁପମା ଘରୁ ଗଲେଣି । ଅନୁପମାଙ୍କ ପାଖରେ ୧୦ବର୍ଷର ବଡ ପୁଅ ଥିବା ବେଳେ, ଦୁଇ ସାନ ପୁଅ ସୁଶୀଲଙ୍କ ପାଖରେ ଅଛନ୍ତି । ପୋଲିସ ପ୍ରଶାସନ ସାହାଯ୍ୟର ହାତ ବଢାଇଲେ ଏଇ କୁନି ପୁଅମାନେ ପୁଣି ଥରେ ମାର ମମତା ପାଇପାରନ୍ତେ ।