ବୁଢା ବାପା କାନ୍ଧରେ ଭେଣ୍ଡିଆ ପୁଅ । ବୋଝ ବୋହିବା ବୟସରେ ଘରର ଦୁଇ ଦୁଇଟି ଭେଣ୍ଡିଆ ପୁଅ ହରାଇଛନ୍ତି ମାନସିକ ଭାରସାମ୍ୟ । ପୁଅ କଥା ଭାବି ଭାବି ମାଆ ବି ହେଲା ମାନସିକ ବିକାରଗ୍ରସ୍ତ । ଆରାମ କରିବା ବୟସରେ ମୂଲ ଲାଗି ତିନି ତିନିଟି ପେଟକୁ ଦାନା ଦେଉଛନ୍ତି ହରେକୃଷ୍ଣ । ଏମିତି ବାପାଙ୍କୁ ସଲାମ ସହ ସାହାଯ୍ୟ କରୁ ସାରା ଓଡିଶା…

867

କନକ ବ୍ୟୁରୋ: ମାଟିର ତକିଆ, ମାଟିର ଶେଯ । ମାଟିର ମଲାଟ ଉପରେ ଶୋଇଛି ମଣିଷର ଜୀବନ । ଜୀବନ ସିନା ଅଛି ହେଲେ ନାହିଁ ଜୀବନଶୈଳୀ, ଜିଇଁବାର ଶକ୍ତି । ଦେହ ଭିତରେ ପ୍ରାଣ, ଦେହ ବାହାରେ ପାଗଳାମି । ଦାଢି ବଢିଯାଇଛି, ନଖ ବଢିଯାଇଛି ମୁଣ୍ଡର ଚୁଟି ଜଟା ବାନ୍ଧିଛି.. ଆଉ ମଇଳା ଲୁଗାରେ ଢାଙ୍କି ହୋଇଛି ମଣିଷର ନଗ୍ନତା । ଭଙ୍ଗା ଘରେ ବଡ ଭାଇ, ଦୁଃଖର ଦଦରା କାନ୍ଥକୁ ଆଉଜି ପିଣ୍ଡାରେ ବସିଛି ସାନ ଭାଇ… ଦୁଇ ଭାଇଙ୍କ ଦେହରେ ବଳ ଅଛି ହେଲେ ମୁଣ୍ଡରେ ନାହିଁ ବିଚାର କରିବାର ଶକ୍ତି । ଆଜି କି କାଲି ନୁହେଁ ଦୀର୍ଘ ୧୨ ବର୍ଷ ହେବ ମାନସିକ ଭାରସାମ୍ୟ ହରାଇ ନିଜ ଭାଗ୍ୟକୁ ନେଇ ଏଇ ଭଙ୍ଗାଘରେ ଅଛନ୍ତି ଦୁଇ ଭେଣ୍ଡିଆ ପୁଅ…

କେନ୍ଦ୍ରାପଡା ଆଳି ବ୍ଲକ ଡିମିରିପାଳ ଗାଁର ହରେକୃଷ୍ଣ ନାୟକଙ୍କ ଦୁଇ ପୁଅ ହିରଣ୍ୟ ଓ ରାଜେଶ ମାନସିକ ବିଚାରଶକ୍ତି ହରାଇଛନ୍ତି । ଦିନେ ଦୁଇ ପୁଅ ବିଦେଶରେ କାମ କରି ଘରର ଦୁଃଖ ଦୂରେଇବାକୁ ଜୀଜାନ୍ ଲଗାଇ ଦେଇଥିଲେ । ବାହାରେ ଚାକିରି କରି ବାପାମାଆଙ୍କ ସହ ବେଶ ଖୁସିରେ ଚଳୁଥିଲେ । ହେଲେ ୧୨ ବର୍ଷ ତଳେ ବଡ ପୁଅ ଗାଁକୁ ଫେରିବା ପରେ ହଠାତ୍ ନିଜ ମାନସିକ ସ୍ଥିତି ହରାଇ ବସିଥିଲେ । ପରେ ପରେ ସାନ ଭାଇ ବି ଘରକୁ ଫେରି ସମନା ଅବସ୍ଥା ଭୋଗିଥିଲେ । ଆଉ ସେବେଠାରୁ ଦୁଇ ଜଣ ଏମିତି ଜୀବନ ବିତାଉଛନ୍ତି ।

ଏପଟେ ଜୀବନ, ସେପଟେ ଯନ୍ତ୍ରଣା । ଏପଟେ ମମତା, ସେପଟେ ସ୍ନେହ । ମାନସିକ ବିକାରଗ୍ରସ୍ତ ହୋଇ ମାଆକୁ ମାରଧର କରିବା ପରେ ଦୁଇ ଭାଇଙ୍କୁ ଗୋଟିଏ ଘରେ ସିନା ବନ୍ଦ କରିଦେଲେ । ହେଲେ ମାନିଲାନି ମାଆର ମନ । ଆଖି ଆଗରେ ଦୁଇ ପୁଅଙ୍କ ଏଭଳି ଅବସ୍ଥା ଦେଖି ମାଆବି ନିଜ ମାନସିକ ସ୍ଥିତି ହରାଇବାକୁ ଲାଗିଛନ୍ତି । କେତେବେଳେ କାହାକୁ କଣ କହୁଛନ୍ତି କିଛି ଜାଣି ପାରୁନାହାନ୍ତି । ଘରର ପାଇଟି ସିନା କରୁଛନ୍ତି ହେଲେ ପୁଅ ପାଇଁ ମାଆ ବି ପାଗିଳି ହୋଇଯାଇଛି…

ସେପଟେ ଘରର ତିନି ତିନି ଜଣଙ୍କ ଅବସ୍ଥା ବିଗିଡିଯିବା ପରେ ବି ହାରିଯାଇ ନାହାନ୍ତି ବାପା ହରେକୃଷ୍ଣ । ବୟସର ଅପରାହ୍ଣରେ ବି ନିଜ ଅଣ୍ଟାକୁ ଶକ୍ତ କରି ଚିଡା ହୋଇଛନ୍ତି । ପୁଅ ବଡ ହେବେ ରୋଜଗାର କରିବେ ଆଉ ବାପ କାନ୍ଧୁର ବୋଝକୁ ହାଲକା କରି ଖୁସିରେ ରଖିବେ । ସବୁ ବାପାଙ୍କ ପରି ହରେକୃଷ୍ଣ ମଧ୍ୟ ଦେଖିଥିଲେ ହଜାରେ ସପନ । ହେଲେ ଦୁଇ ପୁଅ ଦିବ୍ୟାଙ୍କ ହୋଇଯିବା ପରେ ଭାଙ୍ଗିଯାଇଛି ତାଙ୍କ ସ୍ୱପ୍ନ, କୋଠା ଘରର ଆଶା କୁଟାକାଠିରେ ଅଟକିଛି ।

କଲିକତାରୁ କାମ ଛାଡି ଗାଁକୁ ଫେରିବା ପରେ ଏବେ ୩ ଜଣଙ୍କ ପେଟ କଥା ବୁଝୁଛନ୍ତି ହରେକୃଷ୍ଣ । ବୟସ୍କ ହାତରେ ଆଉ ବଳ ନାହିଁ କି ଦେହରେ ଆଉ ଦମ୍ଭ ନାହିଁ । ଘର ତୋଳିବା ତ ଦୂରର କଥା ଖାଇବାକୁ ପାଖରେ ଟଙ୍କାଟିଏ ନଥିବାରୁ ଏଇ ଚାଳ ନଥିବା ମାଟି ଘରେ ଭାଗ୍ୟକୁ ଭାଗ କରୁଛନ୍ତି । ଭେଣ୍ଡିଆ ପୁଅଙ୍କ ପେଟରେ ଦାନା ଗଣ୍ଡେ ଦେବାକୁ ମୁଲ ଲାଗୁଥିବା ହରେକୃଷ୍ଣଙ୍କ ଥରିଲା ହାତ କେବେ ଥକୁନାହିଁ । କାରଣ ସେ ହେଉଛନ୍ତି ବାପା । ଆଉ ବାପାମାନେ ମଲାଯାଏଁ ଥକନ୍ତିନି…
ହୁଏତ ପୁଅମାନେ ଯଦି ଆଜି ଭଲଥାନ୍ତେ ତେବେ ଗରିବିର ଲଙ୍ଗଳା ଚିତ୍ର ଦେଖି ହରେକୃଷ୍ଣଙ୍କୁ ପଚାରୁଥାନ୍ତେ… ବାପା ! ତମେ ଏମିତି କଷ୍ଟ ସହୁଛ କେମିତି ? ନିଜେ ଯନ୍ତ୍ରଣା ପାଇ ଆମ ଜୀବନକୁ ବଞ୍ଚାଉଛ କେମିତି?