ପଶ୍ଚିମବଙ୍ଗ ବିଧାନସଭାରୁ ଇସ୍ତଫା ଦେଲେ ୨ ନବ ନିର୍ବାଚିତ ବିଜେପି ବିଧାୟକ । ବିଜେପି ରାଜ୍ୟରେ ସରକାର ଗଠନ କରିବା ଆଶାରେ ସାଂସଦ ଥାଇ ବି ଲଢିଥିଲେ ବିଧାନସଭା ନିର୍ବାଚନ

346

କନକ ବ୍ୟୁରୋ : ଏବେ ପଶ୍ଚିମବଙ୍ଗରେ ବିଜେପି ବିଧାୟକଙ୍କ ସଂଖ୍ୟା ୭୭ ରୁ ଖସିଆସି ୭୫ ରେ ପହଂଚିଛି । ବିଜେପିର ୨ ଜଣ ସାଂସଦ, ଯେଉଁମାନେ କି ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସାଂସଦ ଥାଇ ବି ବିଧାନସଭା ନିର୍ବାଚନ ଲଢିଥିଲେ ଓ ଜିତିଥିଲେ ସେମାନେ ଆଜି ପଶ୍ଚିମବଙ୍ଗ ବିଧାନସଭାରୁ ଇସ୍ତଫା ଦେଇଛନ୍ତି । ଏହାକୁ ନେଇ ତୃଣମୂଳ କଂଗ୍ରେସ କହିଛି କି ଲୋକସଭାରେ ସୁରକ୍ଷିତ ରହିବାକୁ ଏମାନେ ଏଭଳି କରିଛନ୍ତି । ଏହାସହ ପଶ୍ଚିମବଙ୍ଗ ବିଜେପି ବିଧାୟକ ମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଟିଏମସି କହିଛି କି ସାଧାରଣ ଲୋକଙ୍କ କର ଟଙ୍କାକୁ ଅପବ୍ୟବହାର କରୁଛି ବିଜେପି ।

ଆଜି ଇସ୍ତଫା ଦେଇଥିବା ନୀଶିତ ପ୍ରମାଣିକ ଓ ଜଗନ୍ନାଥ ସରକାର ସେହି ୫ ଜଣ ସାଂସଦଙ୍କ ମଧ୍ୟରୁ ଅନ୍ୟତମ । ଯେଉଁମାନେ କି ଦଳ ପଶ୍ଚିମବଙ୍ଗରେ ସରକାର ଗଠନ କରିବା ଆଶାରେ ସେମାନେ ସାଂସଦ ଥାଇ ବି ବିଧାୟକ ପଦରେ ନିର୍ବାଚନ ଲଢିଥିଲେ ।

ଆଜି ଇସ୍ତଫା ଦେଇଥିବା ରାଣାଘାଟ ବିଜେପି ସାଂସଦ ଜଗନ୍ନାଥ ସରକାର କହିଛନ୍ତି କି ପଶ୍ଚିମବଙ୍ଗରେ ଆଶା ମୁତାବକ ବିଜେପିକୁ ବିଧାୟକ ଆସନ ମିଳିଲା ନାହିଁ । ଯଦି ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିଥାନ୍ତା ତାହେଲେ ତାଙ୍କର ବଡ ଭୂମିକା ରହିଥାନ୍ତା ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଧାୟକଙ୍କ ଇସ୍ତଫା ଓ ବିଧାୟକଙ୍କୁ ସୁରକ୍ଷା ଦେବା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛି ଟିଏମସି । ଟିଏମସିର ବରିଷ୍ଠ ନେତା ସୁଖେନ୍ଦୁ ଶେଖର ରାୟ କହିଛନ୍ତି କି, ‘ସେମାନେ ସେହି ଲୋକଙ୍କୁ ଅପମାନ କରୁଛନ୍ତି, ଯେଉଁମାନେ କିଛି ଆଶା ରଖି ସେମାନଙ୍କୁ ବିଧାନସଭାକୁ ନିର୍ବାଚିତ କରିଥିଲେ ’ । ଏହାସହ ବିଜେପି ବିଧାୟକଙ୍କୁ ସୁରକ୍ଷା ପ୍ରସଙ୍ଗରେ ଶ୍ରୀ ରାୟ କହିଛନ୍ତି କି କରଦାତାଙ୍କ ଟଙ୍କାର ଭୁଲ ବିନିଯୋଗ କରୁଛନ୍ତି କେନ୍ଦ୍ର ସରକାର ।